ଭୁବନେଶ୍ୱର: ଓଡ଼ିଶାରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ (ପ୍ଲସ୍-୨) ଫେଜ୍-୧ ନାମଲେଖାର ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ମନୋନୀତ କରାଯାଇଛି।
ବିଭାଗ ପକ୍ଷରୁ ଗୁରୁବାର ଜାରି ହୋଇଥିବା ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ ୮୭,୫୪୯ ଜଣ ଆବେଦନକାରୀଙ୍କ ମଧ୍ୟରୁ ୪୬,୫୭୦ ଜଣ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫,୮୭୪ ଜଣ ଛାତ୍ରଛାତ୍ରୀ ‘ସ୍ଲାଇଡ୍-ଅପ୍’ ବିକଳ୍ପ ମାଧ୍ୟମରେ ଉଚ୍ଚ ପସନ୍ଦର ଅନୁଷ୍ଠାନରେ ନାମଲେଖାର ସୁଯୋଗ ପାଇଛନ୍ତି।
ଷ୍ଟ୍ରିମ୍ ଭିତ୍ତିକ ଚୟନରେ କଳା ବିଭାଗରେ ସର୍ବାଧିକ ୩୨,୭୮୨ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏହାପରେ ବିଜ୍ଞାନରେ ୧୧,୨୯୭ ଜଣ, ବାଣିଜ୍ୟରେ ୨,୦୮୩ ଜଣ, ଧନ୍ଦାମୂଳକ ଶିକ୍ଷାରେ ୨୬୧ ଜଣ ଏବଂ ସଂସ୍କୃତ (ଉପଶାସ୍ତ୍ରୀ) ଷ୍ଟ୍ରିମ୍ରେ ୧୪୭ ଜଣ ଚୟନ ହୋଇଛନ୍ତି।
ବିଭାଗର ସୂଚନା ଅନୁସାରେ, ୨୩,୨୩୧ ଜଣ ଛାତ୍ରଛାତ୍ରୀ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନାମଲେଖାର ସୁଯୋଗ ପାଇଛନ୍ତି।
ଏଥର କଟଅଫ୍ ତାଲିକାରେ କଟକର ରେଭେନସା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସର୍ବାଧିକ ସ୍ଥାନ ଦଖଲ କରିଛି। ଏହି ଅନୁଷ୍ଠାନରେ କଳା ବିଭାଗର କଟଅଫ୍ ୭୮.୦୦ ପ୍ରତିଶତ, ବାଣିଜ୍ୟରେ ୭୮.୨୦ ପ୍ରତିଶତ ଏବଂ ବିଜ୍ଞାନରେ ୯୦.୦୦ ପ୍ରତିଶତ ରହିଛି।
ସେହିପରି ଧନ୍ଦାମୂଳକ ଷ୍ଟ୍ରିମ୍ରେ ବାଲେଶ୍ୱର ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ଏଫ୍ଏମ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୬୭.୬୭ ପ୍ରତିଶତ କଟଅଫ୍ ସହ ଶୀର୍ଷରେ ରହିଛି। ଉପଶାସ୍ତ୍ରୀ (ସଂସ୍କୃତ) ଷ୍ଟ୍ରିମ୍ରେ ପାରଳାଖେମୁଣ୍ଡି ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୭୬.୦୦ ପ୍ରତିଶତ କଟଅଫ୍ ସହ ସର୍ବାଧିକ ସ୍ଥାନ ହାସଲ କରିଛି।
ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପରେ ମନୋନୀତ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୃକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।




