ଭୁବନେଶ୍ୱର: ଓଡ଼ିଶାର ମାଲପରିବହନ ଓ ଲୋଜିଷ୍ଟିକ୍ସ ଭିତ୍ତିଭୂମିକୁ ଏକ ବଡ଼ ସଫଳତା ମିଳିଛି। ରାଜ୍ୟରେ ୧୨ଟି ଗତିଶକ୍ତି ମଲ୍ଟି-ମୋଡାଲ କାର୍ଗୋ ଟର୍ମିନାଲ (GCT) କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଆଉ ୩୬ଟି ସ୍ଥାନରେ ଏହାର ବିକାଶ ପାଇଁ ସୈଦ୍ଧାନ୍ତିକ ମଞ୍ଜୁରୀ ମିଳିଛି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

ଏହି କାର୍ଗୋ ଟର୍ମିନାଲ ଗୁଡ଼ିକ ଉଦ୍ୟୋଗଗୁଡ଼ିକୁ ସିଧାସଳଖ ରେଳ ମାଲପରିବହନ ବ୍ୟବସ୍ଥା ସହ ଯୋଡ଼ିବ, ଯାହାଦ୍ୱାରା ଶିଳ୍ପସଂସ୍ଥାଗୁଡ଼ିକୁ କଞ୍ଚାମାଲ ଓ ପ୍ରସ୍ତୁତ ସାମଗ୍ରୀ ଦ୍ରୁତ ପରିବହନରେ ସହାୟତା ମିଳିବ।

ଓଡ଼ିଶାର ମୁଖ୍ୟ କାର୍ଯ୍ୟକ୍ଷମ ଟର୍ମିନାଲଗୁଡ଼ିକ:

  • ଜଗତସିଂହପୁର: ପାରାଦୀପ (୩ଟି)
  • ଝାରସୁଗୁଡ଼ା: କେଚୋବାହାଲ-ଲାଇକେରା, ବ୍ରଜରାଜନଗର, ବ୍ରୁନ୍ଦାମାଲ
  • ଯାଜପୁର: ଯାଜପୁର କେନ୍ଦୁଝର ରୋଡ୍, ଜାଖପୁରା
  • ସୁନ୍ଦରଗଡ଼: ବାରପାଲି ରୋଡ୍, ବନ୍ଧମୁଣ୍ଡା ଜଙ୍କସନ୍
  • କଟକ: ମାଚପୁର
  • ସମ୍ବଲପୁର: ସୋଗରା

ଏହାବ୍ୟତୀତ କେନ୍ଦୁଝର ଲୋକସଭା ମଣ୍ଡଳୀର ପୋର୍ଜନପୁର (PRNR) ଠାରେ ନୂତନ କାର୍ଗୋ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବ ବିଚାରାଧୀନ ରହିଛି।

ଜାତୀୟ ସ୍ତରରେ ସଫଳତା:

ସାରା ଦେଶରେ ଏପର୍ଯ୍ୟନ୍ତ ୧୪୨ଟି ଗତିଶକ୍ତି କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ୩୧୦ଟି ସ୍ଥାନ ପାଇଁ ମଞ୍ଜୁରୀ ମିଳିଛି। ଏହି ନୀତି ମାଧ୍ୟମରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର ବେସରକାରୀ ପୁଞ୍ଜିନିବେଶ ସମ୍ଭବ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଟର୍ମିନାଲଗୁଡ଼ିକ ମାଧ୍ୟମରେ ୧୪୬ ନିୟୁତ ଟନ୍ ମାଲ ପରିବହନ କରାଯାଇଛି।

ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶାରେ ଇସ୍ପାତ, ବିଦ୍ୟୁତ୍, ସିମେଣ୍ଟ ଓ ଉତ୍ପାଦନ କ୍ଷେତ୍ର ପାଇଁ ଏହି କାର୍ଗୋ ଟର୍ମିନାଲଗୁଡ଼ିକ ବରଦାନ ସାବ୍ୟସ୍ତ ହେବ। ଏହାଦ୍ୱାରା ଲୋଜିଷ୍ଟିକ୍ସ ଖର୍ଚ୍ଚ କମିବା ସହ ପୂର୍ବ ଭାରତରେ ଓଡ଼ିଶା ଏକ ପ୍ରମୁଖ ଲୋଜିଷ୍ଟିକ୍ସ ହବ୍ ଭାବେ ଗଢ଼ିଉଠିବ।