ନୂଆଦିଲ୍ଲୀ: ସଂସଦରେ ପ୍ରଶ୍ନପତ୍ର ଲିକ୍ ଓ ଛାତ୍ର ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ଶୁକ୍ରବାର ଲୋକସଭାର ବିରୋଧୀ ଦଳ ନେତା (LoP) ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଗୃହରେ ତାଙ୍କ ମାଇକ୍ ବନ୍ଦ କରିଦିଆଯାଇଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନଦେବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରମାନଙ୍କୁ କ୍ଷମା ନମାଗିବା ପର୍ଯ୍ୟନ୍ତ କୌଣସି ଆଲୋଚନା ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପାର୍ଲାମେଣ୍ଟ ହାଉସ୍ ବାହାରେ ସାମ୍ବାଦିକମାନଙ୍କ ସହ କଥା ହୋଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ବିରୋଧୀଙ୍କୁ ଆଲୋଚନା ପାଇଁ କହୁଛନ୍ତି। ମାତ୍ର ସାଧାରଣ ନିୟମାନୁସାରେ କାହାର ନାଁ ନିଆଗଲେ ତାଙ୍କୁ ଉତ୍ତର ଦେବାକୁ ସୁଯୋଗ ମିଳେ। ମାତ୍ର ସେ ଯେତେବେଳେ ଉତ୍ତର ଦେବାକୁ ଚେଷ୍ଟା କଲେ, ତାଙ୍କ ମାଇକ୍‌ ବନ୍ଦ କରିଦିଆଗଲା।

ବିରୋଧୀଙ୍କ ୩ଟି ମୁଖ୍ୟ ଦାବି:

  • ୧. ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ।
  • ୨. ଆନ୍ଦୋଳନରତ ଛାତ୍ରମାନଙ୍କୁ ଆକ୍ରମଣ ଓ ମାଡ଼ ମାରିଥିବା ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
  • ୩. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଛାତ୍ରମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ।

କଂଗ୍ରେସ ସାଂସଦ ତାରିକ୍ ଅନୱାର, କୁମାରୀ ସେଲଜା ଏବଂ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ୍ ଯାଦବ ମଧ୍ୟ ରାହୁଲଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି। ଡିମ୍ପଲ୍ ଯାଦବ କହିଛନ୍ତି ଯେ, ଶିକ୍ଷାମନ୍ତ୍ରୀ ନୈତିକତା ଆଧାରରେ ଇସ୍ତଫା ଦେବା ଉଚିତ୍। ସରକାର ନିଜ ଅହଂକାର ଯୋଗୁଁ ବିରୋଧୀଙ୍କ କଥା ଶୁଣିବାକୁ ଚାହୁଁନାହାନ୍ତି।

ଅପରପକ୍ଷରେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରିଛନ୍ତି ଯେ NEET ପ୍ରଶ୍ନପତ୍ର ଲିକ୍ ଆଲୋଚନାରୁ ବିରୋଧୀ ଦଳଗୁଡ଼ିକ ଛାତ୍ର ସ୍ୱାର୍ଥକୁ ପଛରେ ପକାଇ ଖସିଯିବାକୁ ଚେଷ୍ଟା କରୁଛନ୍ତି।