ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଚାଲିଥିବା ଆନ୍ଦୋଳନ ମଧ୍ୟରେ Cockroach Janata Party (CJP) ପ୍ରତିନିଧିମଣ୍ଡଳ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦିଲ୍ଲୀର ଭିପି ହାଉସରେ ପ୍ରାୟ ଏକ ଘଣ୍ଟା ଧରି ବୈଠକ ହୋଇଛି। ବୈଠକରେ ସିଜେପି ପକ୍ଷରୁ ତିନୋଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଥିବା ବେଳେ, ସଂଗଠନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଛି।

ବୈଠକରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ। ସିଜେପି ପକ୍ଷରୁ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ସରକାରଙ୍କ ସହ ଆଲୋଚନା କରିଥିଲେ।

ଆଲୋଚନା ସମୟରେ ସିଜେପି ପକ୍ଷରୁ ପ୍ରଥମ ଦାବି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଥିଲା। ଦ୍ୱିତୀୟ ଦାବିରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ସହ ଜଡ଼ିତ ବୋଲି ସଂଗଠନ ଦାବି କରୁଥିବା ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ କୁହାଯାଇଛି। ତୃତୀୟ ଦାବିରେ ଆନ୍ଦୋଳନରେ ସାମିଲ ପ୍ରଦର୍ଶନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନକରିବା ଏବଂ ପୂର୍ବରୁ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ସଂଗଠନ ଦାବି କରିଛି।

ବୈଠକ ପରେ ମିଳିଥିବା ସୂଚନା ଅନୁସାରେ, ସିଜେପିର ଦ୍ୱିତୀୟ ଓ ତୃତୀୟ ଦାବିକୁ ନେଇ କେନ୍ଦ୍ର ସରକାର ସକାରାତ୍ମକ ମନୋଭାବ ଦେଖାଇଥିବା କୁହାଯାଉଛି। ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗରେ ସରକାର କୌଣସି ସହମତି ପ୍ରକାଶ କରିନଥିବା ଜଣାପଡ଼ିଛି।

ଏହି ବୈଠକ ପରେ ଆନ୍ଦୋଳନର ପରବର୍ତ୍ତୀ ରୂପରେଖା ନେଇ ସିଜେପି ନିଜର ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ସେପଟେ ସରକାର ଆଲୋଚନା ମାଧ୍ୟମରେ ସମାଧାନର ପ୍ରୟାସ ଜାରି ରଖିବ ବୋଲି ସୂଚନା ମିଳିଛି।