ନୂଆଦିଲ୍ଲୀ: NEET ପ୍ରଶ୍ନପତ୍ର ଲିକ୍କୁ ନେଇ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ପ୍ରସିଦ୍ଧ ଅଭିନେତ୍ରୀ ଆକାଂକ୍ଷା ପୁରୀ ଦାବି କରିଛନ୍ତି ଯେ ଏହି ପ୍ରତିବାଦରେ ସାମିଲ ହେବା ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ତାଙ୍କୁ ଟଙ୍କା, ବିମାନ ଟିକେଟ୍ ଓ ହୋଟେଲ ରହିବା ବ୍ୟବସ୍ଥାର ଅଫର ମିଳିଥିଲା।
ଆକାଂକ୍ଷାଙ୍କ ଅଭିଯୋଗ ଅନୁଯାୟୀ, କେବଳ ତାଙ୍କୁ ନୁହେଁ, ବରଂ ଅନେକ ଅଭିନେତା, ଇନ୍ଫ୍ଲୁଏନ୍ସର ଓ ଡିଜିଟାଲ୍ କ୍ରିଏଟରଙ୍କୁ ମଧ୍ୟ ଏହିପରି ଅଫର ଦିଆଯାଇଛି। ତେବେ ଏହି ଆନ୍ଦୋଳନ ଏକ ପ୍ରଚାର ପ୍ରସାର (ପବ୍ଲିସିଟି) ଅଭିଯାନ ଭଳି ମନେ ହେଉଥିବାରୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି କହିଛନ୍ତି। କୌଣସି ଆର୍ଥିକ ଲାଭ କିମ୍ବା ପବ୍ଲିସିଟି ପାଇଁ ଚାଲିଥିବା ଅଭିଯାନର ଅଂଶବିଶେଷ ହେବାକୁ ସେ ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଏହି ବକ୍ତବ୍ୟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ସେ ପ୍ରବଳ ଟ୍ରୋଲ୍ର ଶିକାର ହୋଇଛନ୍ତି। କିଛି ୟୁଜର ତାଙ୍କର ସାହସକୁ ପ୍ରଶଂସା କରି ତଦନ୍ତ ଦାବି କରିଥିବା ବେଳେ, ଅନେକ ତାଙ୍କ ଅଭିଯୋଗର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। କେତେକ ଲୋକ ତାଙ୍କୁ କେବଳ ଚର୍ଚ୍ଚାରେ ରହିବା ପାଇଁ ଏପରି କହୁଥିବା ଅଭିଯୋଗ କରିଛନ୍ତି।
ତେବେ ତାଙ୍କୁ କେଉଁ ସଂସ୍ଥା କିମ୍ବା ବ୍ୟକ୍ତି ସମ୍ପର୍କ କରିଥିଲେ, ସେ ନେଇ ଆକାଂକ୍ଷା କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଏବଂ ଏହି ଦାବିର କୌଣସି ସ୍ୱାଧୀନ ସତ୍ୟାସତ୍ୟ ପରୀକ୍ଷା ହୋଇନାହିଁ।




