ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବିରୋଧୀ ଦଳଗୁଡ଼ିକ ଏହାକୁ ଦେଶର ଯୁବବର୍ଗ ଓ ଛାତ୍ର ସମାଜର ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ତେବେ ସେମାନେ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଦୋଳନ ଏଠାରେ ଶେଷ ହୋଇନାହିଁ। ପ୍ରଧାନମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଏବଂ ଛାତ୍ର ପ୍ରତିବାଦ ସମୟରେ ହୋଇଥିବା କଥିତ ବଳ ପ୍ରୟୋଗ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବା ଦାବିରେ ସେମାନେ ଅଡ଼ି ରହିଛନ୍ତି।

ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭାରତର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ। ସେ ଦେଶର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ ସମ୍ମାନ ଜଣାଇ କ୍ଷମା ପ୍ରାର୍ଥନା କରିବା ସହ ପ୍ରତିବାଦ ସମୟରେ ହିଂସା ପାଇଁ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।

‘ଏହା ଶେଷ ନୁହେଁ’
କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଏହି ଇସ୍ତଫା ଆନ୍ଦୋଳନର ଶେଷ ନୁହେଁ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଏବଂ ଛାତ୍ରମାନଙ୍କ ବିରୋଧରେ କଥିତ ବଳ ପ୍ରୟୋଗ ପାଇଁ ଦାୟୀ ବ୍ୟକ୍ତିଙ୍କ ଜବାବଦେହିତା ନିଶ୍ଚିତ କରିବା ଦାବି ଜାରି ରହିବ।

ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ କହିଛନ୍ତି, ଏହା ଛାତ୍ରମାନଙ୍କ ସଂଘର୍ଷର ଫଳ। ସେ କହିଛନ୍ତି ଯେ, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରତିବାଦ ସମୟରେ ଘଟିଥିବା ଘଟଣାର ଜବାବଦେହିତା ପ୍ରସଙ୍ଗରେ ବିରୋଧୀ ଦଳ ନିଜର ଦାବି ଜାରି ରଖିବ।

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ବାଡ୍ରା କହିଛନ୍ତି ଯେ, ଦେଶର ଯୁବପିଢ଼ି ନିଜ ସ୍ୱରକୁ ଦମନ କରିବାର ଚେଷ୍ଟା ବିରୋଧରେ ଠିଆ ହୋଇଛନ୍ତି। ସେ ଏହାକୁ ଗଣତନ୍ତ୍ରର ବିଜୟ ବୋଲି ବର୍ଣ୍ଣନା କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ କହିଛନ୍ତି ଯେ, ଦେଶବ୍ୟାପୀ ଛାତ୍ରମାନଙ୍କ ସ୍ୱର ଶେଷରେ ସରକାରଙ୍କ ପାଖରେ ପହଞ୍ଚିଛି। ତାଙ୍କ ମତରେ, ଏହା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରୁଥିବା ଯୁବବର୍ଗର ସଫଳତା।

ଅନ୍ୟ ବିରୋଧୀ ନେତାଙ୍କ ପ୍ରତିକ୍ରିୟା
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ଏହି ଘଟଣାରୁ ସରକାରଙ୍କୁ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଗମ୍ଭୀର ହେବାର ଆବଶ୍ୟକତା ବୁଝିବା ଉଚିତ୍। ସେ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ପୁଣି ନ ଘଟିବାକୁ ବ୍ୟବସ୍ଥା ହେବା ଦରକାର।

ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ସାଗରିକା ଘୋଷ କହିଛନ୍ତି ଯେ, ଯୁବଶକ୍ତି ଓ ବିରୋଧୀ ଦଳର ମିଳିତ ସ୍ୱର ସରକାରଙ୍କୁ ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିଛି।

ଏପଟେ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏହାକୁ “ଗଣତନ୍ତ୍ରର ବଡ଼ ବିଜୟ” ବୋଲି କହିଛନ୍ତି। ସେ ସୋସିଆଲ ମିଡିଆରେ ଜାରି କରିଥିବା ଭିଡିଓ ବାର୍ତ୍ତାରେ ଆନ୍ଦୋଳନରେ ସାମିଲ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଲୋକଙ୍କ ସ୍ୱର ସରକାରଙ୍କୁ ନିଜର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିଛି।

ତେବେ ବିରୋଧୀ ଦଳର ନେତାମାନେ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ଛାତ୍ର ପ୍ରତିବାଦ ସମ୍ପର୍କିତ ଦାବିଗୁଡ଼ିକୁ ନେଇ ସେମାନେ ନିଜର ରଣନୀତି ସ୍ଥିର କରିବେ।