ଇନ୍ଦିପୁର (ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲାର ଇନ୍ଦିପୁର ଗାଁରେ ବନ୍ୟ ବାରହାର ଆକ୍ରମଣ ଯୋଗୁଁ ଆତଙ୍କ ସୃଷ୍ଟି ହୋଇଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ମୃତକ ହେଲେ ଇନ୍ଦିପୁର ଗାଁର ୫୫ ବର୍ଷୀୟ ବଚନ ନାୟକ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଇନ୍ଦିପୁର ଗାଁର ପୋଖରୀ ନିକଟକୁ ଶୌଚ ପାଇଁ ଯାଉଥିବା ବେଳେ ବନ୍ୟ ବାରହାଟି ହଠାତ୍ ଆକ୍ରମଣ କରିଥିଲା। ଏହି ଘଟଣାରେ ଅନ୍ୟ ୧୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଘଟଣା ପରେ ଆକ୍ରମଣକାରୀ ବାରହାଟି ଇନ୍ଦିପୁର ଗାଁ ଛାଡ଼ି ନିକଟସ୍ଥ ଡେଙ୍ଗୋବୋରେଇ ଏବଂ କାଣ୍ଡବିନ୍ଧା ଅଞ୍ଚଳରେ ବୁଲୁଥିବା ସୂଚନା ମିଳିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି।
ଗ୍ରାମବାସୀମାନେ ବନ ବିଭାଗକୁ ତୁରନ୍ତ ପଦକ୍ଷେପ ନେଇ ବାରହାଟିକୁ କାବୁ କରିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଘଟଣା ପରେ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି।




