ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା ସାମରିକ ଉତ୍ତେଜନା ପରେ ଶେଷ ତିନି ଦିନ ହେଲା ଉଭୟ ପକ୍ଷରୁ କୌଣସି ନୂଆ ଆକ୍ରମଣର ଖବର ସାମ୍ନାକୁ ଆସିନାହିଁ। ତଥାପି ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନଥିବାବେଳେ ଉଭୟ ଦେଶ ନିଜ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି। ଏହି ପୃଷ୍ଠଭୂମିରେ ମଙ୍ଗଳବାର ୱାସିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି।
ସୋମବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଆମେରିକା ସହ ଯୁଦ୍ଧବିରତି କିମ୍ବା ଅନ୍ୟ କୌଣସି ପ୍ରକାରର ଆଲୋଚନା ଚାଲିଥିବା ନେଇ ପ୍ରଚାରିତ ଖବର ସଠିକ୍ ନୁହେଁ। ମନ୍ତ୍ରଣାଳୟର ପ୍ରବକ୍ତା ଇସମାଇଲ ବଘେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଭଳି କୌଣସି ଆଲୋଚନା ବର୍ତ୍ତମାନ ଚାଲୁନାହିଁ। ସେ ଆହୁରି କହିଛନ୍ତି, ଆମେରିକା ଆକ୍ରମଣ ବନ୍ଦ ରଖିଥିବା ପର୍ଯ୍ୟନ୍ତ ଇରାନ ମଧ୍ୟ ପାଲଟା ସାମରିକ କାର୍ଯ୍ୟାନୁଷ୍ଠାନରୁ ଦୂରେ ରହିବ।
ଇରାନ ବୈଦେଶିକ ମନ୍ତ୍ରଣାଳୟ ଏହା ମଧ୍ୟ ଦାବି କରିଛି ଯେ, ହର୍ମୁଜ ପ୍ରଣାଳୀ ଉପରେ ଇରାନର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ବିଶ୍ୱ ତୈଳ ପରିବହନ ପାଇଁ ଏହି ସାମୁଦ୍ରିକ ପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ସୁରକ୍ଷାକୁ ନେଇ ଆନ୍ତର୍ଜାତିକ ସମୁଦାୟର ନଜର ରହିଛି।
ଅନ୍ୟପକ୍ଷରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଦେଇଛି ଯେ, ନେତାନ୍ୟାହୁ ମଙ୍ଗଳବାର ୱାସିଂଟନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ବୈଠକ କରିବେ। ଫକ୍ସ ନ୍ୟୁଜ୍କୁ ଦେଇଥିବା ସାକ୍ଷାତକାରରେ ନେତାନ୍ୟାହୁ କହିଛନ୍ତି ଯେ, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବା ପାଇଁ ଆମେରିକା ନେଉଥିବା ପଦକ୍ଷେପକୁ ଇସ୍ରାଏଲ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ବୈଠକରେ ଇରାନର ପରମାଣୁ କାର୍ଯ୍ୟକ୍ରମ, ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଏବଂ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇପାରେ।
ଏପଟେ ଇରାନ ସେନା ପକ୍ଷରୁ କୁହାଯାଇଛି ଯେ, ଦେଶ ସମସ୍ତ ପ୍ରକାରର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ସେନା ପ୍ରବକ୍ତା ମହମ୍ମଦ ଅକ୍ରାମିନିଆଙ୍କ ଅନୁସାରେ, ଇରାନ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଇରାନ ବିରୋଧରେ ଆମେରିକା ନିଜର ଘୋଷିତ ସାମରିକ ଲକ୍ଷ୍ୟ ହାସଲ କରିପାରିନାହିଁ।
ଯଦିଓ ଗତ କିଛି ଦିନ ଧରି ନୂଆ ଆକ୍ରମଣର ଖବର ଆସିନାହିଁ, ତଥାପି ଆମେରିକା, ଇରାନ ଓ ଇସ୍ରାଏଲର ସରକାରୀ ବୟାନରୁ ସ୍ପଷ୍ଟ ଯେ, ଏହି ଅଞ୍ଚଳର ପରିସ୍ଥିତି ଏବେ ମଧ୍ୟ ସମ୍ବେଦନଶୀଳ ରହିଛି ଏବଂ ଆସନ୍ତା ବୈଠକ ଉପରେ ଆନ୍ତର୍ଜାତିକ ମହଳର ନଜର ରହିବ।




