ନୂଆଦିଲ୍ଲୀ: ଦେଶରେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ପରୀକ୍ଷାମୂଳକ ଭାବେ ପ୍ରଚଳନ କରିବାକୁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)କୁ ଅନୁମତି ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ବଜାରରେ ପରୀକ୍ଷଣ ପାଇଁ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ୍ ନୋଟ୍ ଜାରି କରିବା ସମ୍ପର୍କିତ ପ୍ରସ୍ତାବ RBIର କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ଅନୁମୋଦିତ ହୋଇଛି। ଏହି ପରୀକ୍ଷଣ ମାଧ୍ୟମରେ ପ୍ଲାଷ୍ଟିକ୍ ନୋଟ୍‌ର ବ୍ୟବହାର, ସ୍ଥାୟୀତ୍ୱ ଓ ଲୋକଙ୍କ ପ୍ରତିକ୍ରିୟାର ଆକଳନ କରାଯିବ।

ଅର୍ଥ ମନ୍ତ୍ରଣାଳୟ କହିଛି, ପରୀକ୍ଷାମୂଳକ ପ୍ରକଳ୍ପ ସଫଳ ହେଲେ ଭବିଷ୍ୟତରେ ଏହି ଦୁଇ ମୂଲ୍ୟର ପ୍ଲାଷ୍ଟିକ୍ ନୋଟ୍‌କୁ ନିୟମିତ ଭାବେ ପ୍ରଚଳନ କରିବା ଉପରେ ବିଚାର କରାଯିବ।

RBIର ଆନ୍ତର୍ଜାତିକ ଅଧ୍ୟୟନ ଅନୁଯାୟୀ, ସାଧାରଣ କାଗଜ ନୋଟ୍‌ ତୁଳନାରେ ପ୍ଲାଷ୍ଟିକ୍ ନୋଟ୍‌ର ଆୟୁଷ ଅଧିକ ହୋଇଥାଏ। ଏହା ଅଧିକ ଟେକସଇ ହେବା ସହ ସହଜରେ ନଷ୍ଟ ହୁଏନାହିଁ ଏବଂ ଦୀର୍ଘ ସମୟ ବ୍ୟବହାରଯୋଗ୍ୟ ରହିଥାଏ।

ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପାଇଁ କାଗଜ ନୋଟ୍‌କୁ ସମ୍ପୂର୍ଣ୍ଣ ବଦଳାଇ ପ୍ଲାଷ୍ଟିକ୍ ନୋଟ୍ ଆଣିବାର କୌଣସି ଯୋଜନା ନାହିଁ। ପରୀକ୍ଷଣ ସମୟରେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ କାଗଜ ଓ ପ୍ଲାଷ୍ଟିକ୍—ଉଭୟ ପ୍ରକାରର ନୋଟ୍ ସମାନ ଭାବେ ପ୍ରଚଳନରେ ରହିବ ଏବଂ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ।