ମୌସୁମୀ ଋତୁ ଆରମ୍ଭ ହେବା ମାତ୍ରେ ରାଜ୍ୟର ବିଭିନ୍ନ ଭାଗରେ ଘର ଓ ଜନବସତି ଅଞ୍ଚଳକୁ ସାପ ପଶି ଆସିବାର ଘଟଣା ବୃଦ୍ଧି ପାଏ। ବର୍ଷା ଜଳ ମାଟି ଗର୍ଭରେ ଥିବା ସେମାନଙ୍କ ଗାତରେ ପଶିଯିବା ଯୋଗୁଁ ସାପମାନେ ସୁରକ୍ଷିତ ଏବଂ ଶୁଖିଲା ସ୍ଥାନର ସନ୍ଧାନରେ ବାହାରକୁ ଆସିଥାନ୍ତି। ଏହି ସମୟରେ କିଛି ସହଜ ଘରୋଇ ଉପାୟ ଏବଂ ସତର୍କତା ମାଧ୍ୟମରେ ସାପକୁ ଦୂରରେ ରଖାଯାଇପାରିବ।

ସାପକୁ ଦୂରେଇ ରଖିବାରେ ସହାୟକ ୪ଟି ଗନ୍ଧ:

୧. ରସୁଣ ଓ ପିଆଜ: ରସୁଣ ଏବଂ ପିଆଜର ତୀବ୍ର ଗନ୍ଧକୁ ସାପ ପସନ୍ଦ କରନ୍ତି ନାହିଁ। ଏହାର ରସକୁ ଘର ଚାରିପାଖରେ ପକାଇବା ଦ୍ୱାରା ସାପ ଆସିବାର ସମ୍ଭାବନା କମିଥାଏ।

୨. ଫିନାଇଲ: ଫିନାଇଲର କେମିକାଲ୍ ଗନ୍ଧ ଯୋଗୁଁ ସାପ ଦୂରେଇ ରୁହନ୍ତି। ତେଣୁ ନିୟମିତ ଫିନାଇଲ୍ ପାଣିରେ ଘର ମଝାମଝି କରିବା ଆବଶ୍ୟକ।

୩. ଦାଲଚିନି ଓ ଲବଙ୍ଗ ତେଲ: ଏହି ଦୁଇଟି ପ୍ରାକୃତିକ ତେଲର ଗନ୍ଧ ମଧ୍ୟ ସାପକୁ ଅପ୍ରିୟ ହୋଇଥାଏ।

୪. ଅମୋନିଆ: ଅମୋନିଆର ତୀବ୍ର ଗନ୍ଧ ସାପକୁ ଦୂରେଇ ରଖିବାରେ ପ୍ରଭାବଶାଳୀ, ତେବେ ଏହାର ବ୍ୟବହାର ସମୟରେ ଶିଶୁ ଓ ପୋଷା ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ।

ବିଶେଷଜ୍ଞଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ:

କେବଳ ଗନ୍ଧ ଉପରେ ନିର୍ଭର ନକରି ଘର ଆଖପାଖର ଝାଡ଼ି ଓ ଅଳିଆ ଆବର୍ଜନା ସଫା ରଖିବା ସହ ଘରର ଫାଟ ବନ୍ଦ କରିବା ଅଧିକ ପ୍ରଭାବଶାଳୀ। ଘରେ ମୂଷାଙ୍କ ପ୍ରାଦୁର୍ଭାବ କମାଇଲେ ସାପ ଆସିବା ଆଶଙ୍କା ହ୍ରାସ ପାଏ।

ଯଦି ଘରେ କୌଣସି ସାପ ଦେଖାଯାଏ, ତେବେ ତାହାକୁ ମାରିବାକୁ କିମ୍ବା ଧରିବାକୁ ଚେଷ୍ଟା ନକରି ସୁରକ୍ଷିତ ଦୂରତାରେ ରହି ବନ ବିଭାଗ କିମ୍ବା ସ୍ନେକ୍ ହେଲ୍ପଲାଇନ୍‌ (Snake Helpline) ଉଦ୍ଧାରକାରୀଙ୍କୁ ତୁରନ୍ତ ଖବର ଦିଅନ୍ତୁ। ସାପ କାମୁଡ଼ିଲେ କୌଣସି ଗୁଣିଗାରଡ଼ି ନକରି ସିଧାସଳଖ ନିକଟସ୍ଥ ହସ୍ପିଟାଲକୁ ଯାଇ ‘ଆଣ୍ଟି ସ୍ନେକ୍ ଭେନମ୍’ (Anti-Snake Venom) ଚିକିତ୍ସା ନେବା ହିଁ ସବୁଠାରୁ ନିରାପଦ ଉପାୟ।