ଭୁବନେଶ୍ୱର: ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଅବସରରେ ଅଗଷ୍ଟ ୪ ଓ ୫ ତାରିଖରେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ସ୍ଥାନଗୁଡ଼ିକୁ ସମ୍ପୂର୍ଣ୍ଣ ‘ନୋ-ଫ୍ଲାଇଂ ଜୋନ୍’ (No-Flying Zone) ଭାବେ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ପ୍ରକାର ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି।

ବ୍ରହ୍ମପୁର ରେଳ ଷ୍ଟେସନରୁ ତପ୍ତପାଣି ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଯାତ୍ରା ମାର୍ଗ – ଗୋସାଣିନୂଆଗାଁ, ଅନ୍ଧପସରା ରୋଡ୍, ହରିଡ଼ାଖଣ୍ଡି ଏବଂ ଦିଗପହଣ୍ଡି ରୋଡ୍‌ରେ ଏହି କଟକଣା ବଳବତ୍ତର ରହିବ। ଏହା ସହିତ ତପ୍ତପାଣି ମନ୍ଦିର ପରିସର, ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ କୌଣସି ଆକାଶମାର୍ଗୀୟ ଗତିବିଧିକୁ ଅନୁମତି ଦିଆଯିବ ନାହିଁ।

ଏହି ସମୟ ମଧ୍ୟରେ ଡ୍ରୋନ୍, ମାନବରହିତ ବିମାନ, ପାୱାର୍ଡ ଏୟାରକ୍ରାଫ୍ଟ, ପାରାଗ୍ଲାଇଡର୍, ହଟ୍ ଏୟାର ବେଲୁନ୍ କିମ୍ବା ଅନ୍ୟ କୌଣସି ଆକାଶମାର୍ଗୀୟ ପ୍ଲାଟଫର୍ମ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହି ନିୟମ ଭଙ୍ଗ କଲେ ଭାରତୀୟ ନାୟିକ ସଂହିତା, ଏୟାରକ୍ରାଫ୍ଟ ଆକ୍ଟ, ଏୟାରକ୍ରାଫ୍ଟ ରୁଲ୍ସ ଏବଂ ଡ୍ରୋନ୍ ରୁଲ୍ସ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତାଙ୍କର ଏହି ଗସ୍ତ କାଳରେ ରାଷ୍ଟ୍ରପତି ଅଗଷ୍ଟ ୩ ତାରିଖରେ କଟକଠାରେ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି। ଅଗଷ୍ଟ ୪ ତାରିଖରେ ସେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ ଏବଂ ସେଠାରୁ ତପ୍ତପାଣି ଯାଇ ମା’ କାନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ। ପରେ ସେ ବ୍ରହ୍ମପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କରିବେ ଏବଂ ଅଗଷ୍ଟ ୫ ସକାଳେ ଫେରିବାର କାର୍ଯ୍ୟକ୍ରମ ରହିଛି।