ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ, ଇତିହାସ ଓ ଐତିହାସିକ ଗବେଷଣା କ୍ଷେତ୍ରରେ ଏକ ଯୁଗର ଅବସାନ ଘଟିଛି। ବିଶିଷ୍ଟ ଲେଖକ, ଐତିହାସିକ, ମନ୍ଦିର ସ୍ଥାପତ୍ୟ ବିଶାରଦ ତଥା ଗବେଷକ ଅନୀଲ ଦେ’ ଆଉ ନାହାନ୍ତି। ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ବିୟୋଗରେ ସମଗ୍ର ସାହିତ୍ୟ, ଗବେଷଣା, ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ ଜଗତରେ ଶୋକର ଛାୟା ଖେଳିଯାଇଛି।
ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା ଏବଂ ବିଶେଷ କରି ମନ୍ଦିର ସ୍ଥାପତ୍ୟ ଓ ଐତିହ୍ୟ ସୁରକ୍ଷା କ୍ଷେତ୍ରରେ ଅନୀଲ ଦେ’ଙ୍କ ଅବଦାନ ଅତୁଳନୀୟ ଥିଲା। ସେ ‘କଳିଙ୍ଗ ହେରିଟେଜ ପ୍ରିଜରଭେସନ ଟ୍ରଷ୍ଟ’ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଓଡ଼ିଶାର ପ୍ରାଚୀନ କୀର୍ତ୍ତିରାଜିର ଗବେଷଣା ପାଇଁ ସାରା ଜୀବନ ସମର୍ପିତ କରିଥିଲେ। ତାଙ୍କ ଦ୍ୱାରା ରଚିତ ‘ଅର୍କକ୍ଷେତ୍ର କୋଣାର୍କ’ ସମେତ ବିଭିନ୍ନ ଗବେଷଣାତ୍ମକ ପୁସ୍ତକ ଓ ଲେଖନୀ ମାଧ୍ୟମରେ ଓଡ଼ିଶାର ଇତିହାସ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ମିଳିପାରିଥିଲା।
ଇତିହାସ ଓ ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଏହି ଅସାଧାରଣ ଓ ନିଷ୍ଠାପର ଅବଦାନକୁ ସମ୍ମାନ ଜଣାଇ ‘ଆମ ଓଡ଼ିଶା’ ପକ୍ଷରୁ ତାଙ୍କୁ ପ୍ରତିଷ୍ଠିତ ‘ଅସ୍ମିତା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ତାଙ୍କର ବିୟୋଗ ଓଡ଼ିଶାର ବୁଦ୍ଧିଜୀବୀ ଓ ସାହିତ୍ୟିକ ମହଲରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ଇତିହାସ ପୃଷ୍ଠାରେ ତାଙ୍କର କୃତି ଓ ସାଧନା ସଦାସର୍ବଦା ଅମର ହୋଇ ରହିବ।




