ଜମ୍ମୁ: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ୩ ଜଣ ମହିଳା ଏବଂ ୭ ଜଣ ଶିଶୁଙ୍କ ସମେତ ମୋଟ ୨୧ ଜଣ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ସୁରକ୍ଷାକର୍ମୀ ଅଟକ ରଖିଛନ୍ତି। ନିୟମିତ ଯାଞ୍ଚ ବେଳେ ଏହି ଗୋଷ୍ଠୀ ରାମବନ ଚେକ୍ପୋଷ୍ଟ ନିକଟରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ।
ସୂଚନା ଅନୁସାରେ, ସେମାନେ ଦୁଇଟି ଗାଡ଼ିରେ ଜମ୍ମୁରୁ କାଶ୍ମୀର ଅଭିମୁଖେ ଯାଉଥିଲେ। ଯାଞ୍ଚ ସମୟରେ ସେମାନେ କୌଣସି ବୈଧ ପରିଚୟପତ୍ର କିମ୍ବା ଯାତ୍ରା ସମ୍ବନ୍ଧୀୟ ଦସ୍ତାବିଜ ଦେଖାଇ ପାରିନଥିଲେ। ଏହାପରେ ସମସ୍ତଙ୍କୁ ହାଜତକୁ ନେଇ ପ୍ରାଥମିକ ପଚରାଉଚରା ଆରମ୍ଭ କରାଯାଇଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଟକ ବ୍ୟକ୍ତିମାନେ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକ ଏବଂ ସେମାନେ ଆସାମ ଦେଇ ଭାରତରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। କାମ ସନ୍ଧାନରେ ସେମାନେ ଜମ୍ମୁ-କାଶ୍ମୀରକୁ ଆସିଥିବା ନେଇ ପ୍ରାଥମିକ ସୂଚନା ମିଳିଛି।
ତେବେ ସେମାନଙ୍କୁ କୌଣସି ସ୍ଥାନୀୟ ବ୍ୟକ୍ତି କିମ୍ବା ସଂଗଠିତ ନେଟୱର୍କ ସହଯୋଗ କରିଥିଲା କି ନାହିଁ, ସେନେଇ ସୁରକ୍ଷା ସଂସ୍ଥାମାନେ ତଦନ୍ତ ଜାରି ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଏବଂ ଜଣେ ଯବାନ ସହିଦ ହେବା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବ୍ୟାପକ ଯାଞ୍ଚ ଓ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଏହି ୨୧ ଜଣଙ୍କୁ ଅଟକ କରାଯାଇଛି।




