ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ସରଗଡାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (KGBV) ହଷ୍ଟେଲରେ ଦୂଷିତ ଖାଦ୍ୟ ଖାଇ ୯୨ ଜଣ ଛାତ୍ରୀ ଝାଡ଼ା-ବାନ୍ତିରେ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ଶିକ୍ଷା ବିଭାଗ ପ୍ରଧାନଶିକ୍ଷୟିତ୍ରୀ ହୀରାମଣି ହେମ୍ବ୍ରମଙ୍କୁ ନିଲମ୍ବନ କରିଛି।

ସୂଚନା ଅନୁସାରେ, ହଷ୍ଟେଲରେ ଖାଦ୍ୟ ଖାଇବା ପରେ ଛାତ୍ରୀମାନଙ୍କ ମଧ୍ୟରେ ଝାଡ଼ା ଓ ବାନ୍ତି ଲକ୍ଷଣ ଦେଖାଦେଇଥିଲା। ପରିସ୍ଥିତି ଗୁରୁତର ହେବାରୁ ଅସୁସ୍ଥ ଛାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।

କେତେକ ଛାତ୍ରୀଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ବିଦ୍ୟାଳୟ ପରିସରରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗର ଟିମ୍ ପକ୍ଷରୁ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ଅଧିକାଂଶ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଘଟଣାଟି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ (DEO) ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ବିଜାତଳା ବ୍ଲକ ଶିକ୍ଷା ଅଧିକାରୀ (BEO) ଦିଲୀପ କୁମାର ନନ୍ଦଙ୍କ ରିପୋର୍ଟ ଆଧାରରେ ପ୍ରଧାନଶିକ୍ଷୟିତ୍ରୀ ହୀରାମଣି ହେମ୍ବ୍ରମଙ୍କୁ ନିଲମ୍ବନ କରାଯାଇଛି।

ନିଲମ୍ବନ ସମୟରେ ତାଙ୍କୁ ବିଜାତଳା ବ୍ଲକର ପାଟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥିତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସରଗଡା KGBV ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଭାବେ ଦୁଲିମଣି ସୋରେନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି।

ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।