ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦୀର୍ଘଦିନ ଧରି ଚାଲୁଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୁଲିସ ସୋମବାର ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୬୬ ହଜାର ୧୩୦ ଟଙ୍କା ନଗଦ, ୨ଟି କାର୍‌, ୩ଟି ବାଇକ୍‌ ଏବଂ ୧୨ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ନବରଙ୍ଗପୁର ଥାନା ଅନ୍ତର୍ଗତ ତାରାଗାଁ ନିକଟ କାଜୁ ଜଙ୍ଗଲ ମଧ୍ୟରେ ଏହି ଜୁଆ ଆଡ୍ଡା ଚାଲୁଥିଲା। ଏଠାକୁ ନବରଙ୍ଗପୁର ସହର ସମେତ ଡାବୁଗାଁ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ଜୟପୁର ଓ ଅନ୍ୟାନ୍ୟ ଅଞ୍ଚଳରୁ ଲୋକମାନେ ଜୁଆ ଖେଳିବାକୁ ଆସୁଥିବା ତଦନ୍ତରୁ ଜଣାପଡ଼ିଛି।

ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି ଯେ, ଏସ୍‌ପି ପାର୍ଥ କାଶ୍ୟପ ଜଗଦୀଶଙ୍କ ନିର୍ଦ୍ଦେଶକ୍ରମେ ଯୋଜନାବଦ୍ଧ ଭାବେ ପୁଲିସ ଟିମ୍‌ ଜୁଆ ଆଡ୍ଡାକୁ ଚାରିପଟୁ ଘେରାବନ୍ଦୀ କରି ଚଢ଼ାଉ କରିଥିଲା। ଏଥିରେ ୧୪ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନବରଙ୍ଗପୁର ସହର, ତାରାଗାଁ, ବଦାମୁଣ୍ଡା, ବୋରିଗୁମ୍ମା, ଡାବୁଗାଁ, ଜୟପୁର ଓ କେନ୍ଦୁଗୁଡ଼ା ଅଞ୍ଚଳର ବ୍ୟକ୍ତିମାନେ ରହିଛନ୍ତି। ସେମାନଙ୍କ ବିରୋଧରେ ଜୁଆ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଏହି ମାମଲାର ତଦନ୍ତ ଏଏସ୍‌ଆଇ ସୁନୀଲ କୁମାର ପ୍ରଧାନ କରୁଛନ୍ତି। ଗିରଫ ହୋଇଥିବା ମହିଳା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଆଉ ତିନୋଟି ମାମଲା ଥିବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ ନୂତନ ଏସ୍‌ପି ପାର୍ଥ କାଶ୍ୟପ ଜଗଦୀଶ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଥମ ବଡ଼ ଜୁଆ ବିରୋଧୀ ଚଢ଼ାଉ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।