ଗୁୱାହାଟି: ଆସାମରେ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର ରହିଛି। ଚଳିତ ବର୍ଷ ବନ୍ୟା ଜନିତ ମୋଟ ମୃତ୍ୟୁସଂଖ୍ୟା ୮୭କୁ ବୃଦ୍ଧି ପାଇଛି। ଯଦିଓ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା ହ୍ରାସ ପାଇ ୭ରେ ପହଞ୍ଚିଛି, ତଥାପି ବିପନ୍ନଙ୍କ ଦୁର୍ଦ୍ଦଶା କମିନାହିଁ। ୩୮୦ଟି ଗାଁର ୧.୨୮ ଲକ୍ଷରୁ ଅଧିକ ଲୋକ ଏବେ ବି ବନ୍ୟା ଜଳଘେରରେ ରହିଛନ୍ତି। ହଜାର ହଜାର ଲୋକ ବାସହୀନ ହୋଇପଡ଼ିଥିବା ବେଳେ ବ୍ୟାପକ କୃଷି ଫସଲ ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ASDMA) ର ସୂଚନା ଅନୁଯାୟୀ, ଶିବସାଗର, ଚରାଇଦେଓ, ଯୋରହାଟ, ଗୋଲାଘାଟ, ଧେମାଜି, ଲଖିମପୁର ଏବଂ ବିଶ୍ୱନାଥ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ମୋଟ ୨୪ଟି ରାଜସ୍ୱ ମଣ୍ଡଳ ବନ୍ୟା କବଳରେ ଥିବା ବେଳେ ୧୪,୨୩୦ ହେକ୍ଟର ଚାଷ ଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଶିବସାଗର ଜିଲ୍ଲାରେ ସର୍ବାଧିକ ୫୫,୨୦୦ ଜଣ ପ୍ରଭାବିତ ହୋଇଥିବା ବେଳେ ଚରାଇଦେଓରେ ୩୪,୦୫୦, ଯୋରହାଟରେ ୨୦,୨୦୯, ଗୋଲାଘାଟରେ ୧୦,୨୦୧ ଏବଂ ଧେମାଜିରେ ୮,୩୩୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ ୫୫ଟି ରିଲିଫ୍ କ୍ୟାମ୍ପ ଓ ରିଲିଫ୍ ବଣ୍ଟନ କେନ୍ଦ୍ର ଖୋଲାଯାଇଛି, ଯେଉଁଥିରେ ୧୧,୦୬୬ ଜଣ ଆଶ୍ରୟ ନେଇଛନ୍ତି। ବନ୍ୟା ଯୋଗୁଁ ୮୭୮ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୦୨ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏହାସହ ୩୪,୪୭୧ ଗୋରୁଗାଈ ପ୍ରଭାବିତ ହୋଇଛନ୍ତି ଏବଂ ୫୪,୫୦୦ରୁ ଅଧିକ କୁକୁଡ଼ା ଭାସିଯାଇଛନ୍ତି, ଯାହା ଗ୍ରାମୀଣ ଅର୍ଥନୀତିକୁ ଶାକ୍ତ ଧକ୍କା ଦେଇଛି।

ଅପରପକ୍ଷରେ, ଧେମାଜି, ଚରାଇଦେଓ, ବିଶ୍ୱନାଥ ଏବଂ କଛାର ଜିଲ୍ଲାରେ ରାସ୍ତାଘାଟ ଓ ପୋଲ କ୍ଷତିଗ୍ରସ୍ତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।