ବ୍ରହ୍ମପୁର: ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ରାଷ୍ଟ୍ରପତି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଛନ୍ତି। ତାଙ୍କର ଭବ୍ୟ ସ୍ୱାଗତ ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱତନ୍ତ୍ର ଓ ବ୍ୟାପକ ଆୟୋଜନ କରାଯାଇଛି।
କାର୍ଯ୍ୟକ୍ରମ ଅନୁଯାୟୀ, ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ରାଷ୍ଟ୍ରପତି ସ୍ୱତନ୍ତ୍ର କାରକେଡ୍ରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଅଭିମୁଖେ ଗସ୍ତ କରିବେ। ସେଠାରେ ଅଧିଷ୍ଠାତ୍ରୀ ଦେବୀ ମା’ କନ୍ଧୁଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ବ୍ରହ୍ମପୁର ନିକଟସ୍ଥ ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡିଫେନ୍ସ (AD) କଲେଜରେ ରାତ୍ରିଯାପନ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଳ ଷ୍ଟେସନ, ତପ୍ତପାଣି ଏବଂ ଗୋଳାବନ୍ଧ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ଦଳ, ମେଟାଲ ଡିଟେକ୍ଟର ଏବଂ ବହୁ ସଂଖ୍ୟାରେ ସଶସ୍ତ୍ର ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତପଥରେ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ଉଚ୍ଚପଦସ୍ଥ ଅଧିକାରୀମାନେ କଡ଼ା ନଜର ରଖିଛନ୍ତି।
ଆସନ୍ତାକାଲି ରାଷ୍ଟ୍ରପତି ପୁନର୍ବାର ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ହାଇ ଆଲର୍ଟରେ ରହିଛି।




