ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟଗୁଡ଼ିକରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯିବା ପୂର୍ବରୁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ବୋଲାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଆଧାରରେ ଓଡ଼ିଶା ସରକାର ଏହି ବାଧ୍ୟତାମୂଳକ ନିୟମ ଜାରି କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିତ୍ୟାନନ୍ଦ ସିଂହଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସମସ୍ତ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO), ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଏବଂ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଏହା ନିଶ୍ଚିତ କରିବାକୁ କୁହାଯାଇଛି।
ଉଭୟ ‘ବନ୍ଦେ ମାତରମ୍’ ଏବଂ ‘ଜନ ଗଣ ମନ’ର ମୂଳ ରଚନା, ସଠିକ୍ ଉଚ୍ଚାରଣ ଏବଂ ସ୍ୱରରେ ଯେପରି କୌଣସି ତ୍ରୁଟି ନରହେ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବିଭାଗ ସ୍ପଷ୍ଟ କରିଛି। ଏହାସହ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଆୟୁକ୍ତ (RDC), ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (SP) ମାନଙ୍କୁ ଏହି ନିର୍ଦ୍ଦେଶାବଳୀ ପାଳନ ପାଇଁ ପତ୍ର ଲେଖାଯାଇଛି।
ସ୍କୁଲଗୁଡ଼ିକରେ ଦୈନନ୍ଦିନ ପ୍ରାର୍ଥନା ସଭାରେ ଛାତ୍ରଛାତ୍ରୀମାନଙ୍କୁ ମିଳିତ ଭାବେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନ କରିବାକୁ ଉତ୍ସାହିତ କରାଯିବ, ଯାହାଦ୍ୱାରା ପିଲାମାନଙ୍କ ମଧ୍ୟରେ ଜାତୀୟ ପତାକା, ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ପ୍ରତି ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ପାଇବ।
ନିୟମାନୁସାରେ, ଜାତୀୟ ସଙ୍ଗୀତ ପରିବେଷଣ କିମ୍ବା ଗାନ ହେବା ସମୟରେ ଉପସ୍ଥିତ ସମସ୍ତ ବ୍ୟକ୍ତି ସାବଧାନ ମୁଦ୍ରାରେ ଛିଡ଼ା ହେବା ବାଧ୍ୟତାମୂଳକ। ତେବେ ଚଳଚ୍ଚିତ୍ର କିମ୍ବା ଡକ୍ୟୁମେଣ୍ଟାରୀର ଅଂଶବିଶେଷ ଭାବେ ଏହା ବାଜୁଥିଲେ ଛିଡ଼ା ହେବାର ଆବଶ୍ୟକତା ନାହିଁ। ଏହାସହ କୌଣସି ଅନାବଶ୍ୟକ କିମ୍ବା ଅନୁଚିତ ସ୍ଥାନରେ ଜାତୀୟ ସଙ୍ଗୀତର ବ୍ୟବହାର ନକରିବାକୁ କଡ଼ା କଟକଣା ଜାରି କରାଯାଇଛି।




