ନୂଆଦିଲ୍ଲୀ: ଗ୍ଲାସଗୋରେ ଆୟୋଜିତ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପାରା କ୍ରୀଡ଼ାବିତମାନେ ଐତିହାସିକ ପ୍ରଦର୍ଶନ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ଦଳ ମୋଟ ୭ଟି ପଦକ ଜିତି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଦେଶର ସର୍ବଶ୍ରେଷ୍ଠ ପାରା ପ୍ରଦର୍ଶନ କରିଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ସାମିଲ ରହିଛି।
ଏହି ସଫଳତାର ବିଶେଷତା ହେଉଛି, ପୂର୍ବର ସମସ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଯେତିକି ପାରା ପଦକ ଜିତିଥିଲା, ଗ୍ଲାସଗୋରେ ଏକାକୀ ସେତିକି ପଦକ ହାସଲ କରିଛି। ଏହା କେବଳ ପଦକ ସଂଖ୍ୟାର ସଫଳତା ନୁହେଁ, ବରଂ ସଂଘର୍ଷ, ଅଦମ୍ୟ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସର ଜୀବନ୍ତ ଉଦାହରଣ ହୋଇଛି।
ପୁରୁଷ ଏଫ୍-୫୭ ସଟ୍ପୁଟ୍ରେ ଭାରତୀୟ ସେନାର ସୋମନ ରାଣା ସ୍ୱର୍ଣ୍ଣ ଜିତିଥିବାବେଳେ ତାଙ୍କ ସହଖେଳାଳି ଶୁଭମ ଜୁୟାଲ ରୌପ୍ୟ ପଦକ ହାସଲ କରି ଭାରତକୁ ଐତିହାସିକ ‘୧-୨ ଫିନିଶ୍’ ଉପହାର ଦେଇଛନ୍ତି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଗୋଡ଼ ହରାଇଥିବା ସୋମନ ଏବଂ ସଡ଼କ ଦୁର୍ଘଟଣା ପରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଶୁଭମଙ୍କ ସଫଳତା ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି।
ପାରା ପାୱାରଲିଫ୍ଟିଂରେ ଝଣ୍ଡୁ କୁମାର ଭାରତକୁ କାଂସ୍ୟ ପଦକ ଦେଇଥିଲେ। ଆର୍ଥିକ ସଂକଟ ସତ୍ତ୍ୱେ ସେ ଖେଳ ଜାରି ରଖିଥିଲେ ଏବଂ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନିଜ ଅଟୋ ରିକ୍ସା ବିକ୍ରି କରିଥିବା ଘଟଣା ତାଙ୍କ ସଂଘର୍ଷର ପରିଚୟ ଦେଇଛି।
ମହିଳା ଏଫ୍-୫୭ ସଟ୍ପୁଟ୍ରେ ଶର୍ମିଳା ଧାଙ୍କର ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଶିଳ୍ପା କେ. ଶୈଳା କାଂସ୍ୟ ପଦକ ହାସଲ କରିଛନ୍ତି। ପୋଲିଓ ସତ୍ତ୍ୱେ ଶର୍ମିଳାଙ୍କ ଏହି ସଫଳତା ତାଙ୍କ ଦୃଢ଼ ସଂକଳ୍ପର ପ୍ରମାଣ ହୋଇଛି।
ସେହିପରି ୧୦୦ ମିଟର ଦୌଡ଼ରେ ଦିଲୀପ ମହାଦୁ ଗାଭିତ ସ୍ୱର୍ଣ୍ଣ ଜିତିଥିବାବେଳେ କେରଳର ମହମ୍ମଦ ବାସିଲ ରୌପ୍ୟ ପଦକ ହାସଲ କରି ଭାରତକୁ ଆଉ ଏକ ଐତିହାସିକ ‘୧-୨ ଫିନିଶ୍’ ଦେଇଛନ୍ତି।
ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଦୁର୍ଘଟଣା, ଦାରିଦ୍ର୍ୟ ଏବଂ ଶାରୀରିକ ଚ୍ୟାଲେଞ୍ଜ ଭଳି ବାଧାକୁ ଜୟ କରି ଭାରତୀୟ ପାରା କ୍ରୀଡ଼ାବିତମାନେ ଗ୍ଲାସଗୋରେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଦେଶର କ୍ରୀଡ଼ା ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଭାବେ ରହିବ।




