ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସୀମାବର୍ତ୍ତୀ ଅଞ୍ଚଳରେ ପୁଣିଥରେ ସୁରକ୍ଷା ଚିନ୍ତା ବଢ଼ିଛି। କଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନ ପକ୍ଷରୁ ଆସିଥିବା ଏକ ସନ୍ଦିଗ୍ଧ ଡ୍ରୋନ୍ ଚିହ୍ନଟ ହେବା ପରେ ସୁରକ୍ଷାବାହିନୀ ସତର୍କ ହୋଇ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛି। ଏହାସହ ପୁଞ୍ଚ ଜିଲ୍ଲାରେ ମଧ୍ୟ ଆତଙ୍କବାଦୀଙ୍କ ସନ୍ଦିଗ୍ଧ ଗତିବିଧିକୁ ନେଇ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ବେଳେ ଡ୍ରୋନ୍ଟି କଠୁଆର ହୀରାନଗର ସେକ୍ଟର ଅନ୍ତର୍ଗତ ସୁଖମାଲ, ଦେବିନ୍ଦ୍ର ଓ ତପନର ଆଗୁଆ ଗ୍ରାମ ଉପରେ ଉଡ଼ୁଥିବା ଦେଖାଯାଇଥିଲା। ସୀମାରେ ମୁତୟନ ବିଏସଏଫ୍ ଯବାନମାନେ ଡ୍ରୋନ୍କୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡ୍ରୋନ୍ଟି ଅଧିକ ଉଚ୍ଚତାରେ ଉଡ଼ୁଥିବାରୁ ଏହା ପାକିସ୍ତାନ ଅଞ୍ଚଳକୁ ଫେରିଯାଇଥିଲା।
ଘଟଣା ପରେ ବିଏସଏଫ୍ ଓ ଜମ୍ମୁ-କାଶ୍ମୀର ପୁଲିସ ମିଳିତ ଭାବେ ସୀମା ସଂଲଗ୍ନ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି। ଡ୍ରୋନ୍ ଦ୍ୱାରା କୌଣସି ଅସ୍ତ୍ରଶସ୍ତ୍ର, ବିସ୍ଫୋରକ କିମ୍ବା ଅନ୍ୟ ସାମଗ୍ରୀ ଖସାଯାଇଛି କି ନାହିଁ, ତାହାକୁ ନେଇ ତଦନ୍ତ ଜାରି ରହିଛି।
ଅନ୍ୟପଟେ, ପୁଞ୍ଚ ଜିଲ୍ଲାର ସୁରନକୋଟ ତହସିଲ ଅନ୍ତର୍ଗତ ଧାରା ସାଙ୍ଗଲା, ଗୁଜ୍ଜର ନାର ଏବଂ ଖେରୋୱାଲି ଢୋକ ଅଞ୍ଚଳରେ ଦୁଇଟି ଆତଙ୍କବାଦୀ ଗୋଷ୍ଠୀର ସନ୍ଦିଗ୍ଧ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ଏହି ଅଭିଯାନରେ ଜମ୍ମୁ-କାଶ୍ମୀର ପୁଲିସ, ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଏବଂ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ସାମିଲ ହୋଇଛନ୍ତି।
କଳାବନ ଓ ମେନ୍ଧର ତହସିଲର କିଛି ସ୍ଥାନରେ ମଧ୍ୟ ସନ୍ଦିଗ୍ଧ ଗତିବିଧି ଠାବ ହୋଇଥିବା ସୂଚନା ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।
ଏହି ମଧ୍ୟରେ କଠୁଆର କଟ୍ଟଲ-ବ୍ରହ୍ମଣା ଗ୍ରାମରେ ଏକ ଘର ଅଗଣାରେ ଖନନ କାର୍ଯ୍ୟ ସମୟରେ ପୁରୁଣା ମୋର୍ଟାର ସେଲ୍ ମିଳିଥିଲା। ସୂଚନା ପାଇ ବୋମା ନିଷ୍କ୍ରିୟକାରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସୁରକ୍ଷିତ କରିବା ସହ ଅଫୁଟା ଗୋଳାକୁ ଉଦ୍ଧାର କରିଥିଲେ।
ସୀମାରେ ବଢ଼ୁଥିବା ସୁରକ୍ଷା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।




