ବରୀ: ଯାଜପୁର ଜିଲ୍ଲା ବରୀ ତହସିଲ୍ କାର୍ଯ୍ୟାଳୟରୁ ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ତ୍ରାଣ ପାଲ ରାତି ଅଧିଆ ଗାଏବ ଓ ଚୋରା ବିକ୍ରି ହେଉଥିବା ନେଇ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ରାତି ପ୍ରାୟ ୧୦ଟା ସମୟରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଥିବାର ସୁଯୋଗ ନେଇ ଅନ୍ଧାର ବାତାବରଣ ଭିତରେ ଏହି ବେଆଇନ୍ କାରବାର ଚାଲିଥିବା ବେଳେ ସ୍ଥାନୀୟ ଯୁବକମାନଙ୍କ ତତ୍ପରତା ଯୋଗୁଁ ଘଟଣାର ପର୍ଦ୍ଦାଫାଶ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ତହସିଲ୍ ଅଫିସ୍ ପରିସର ଭିତରୁ କିଛି କର୍ମଚାରୀ ବାହାରକୁ ଗେଟ୍ ଉପର ଦେଇ ପାଲ ପକାଉଥିଲେ। ବାହାରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ନିଜ କାର୍ର ଡିକିରେ ସେହି ପାଲଗୁଡ଼ିକୁ ଲୋଡ୍ କରୁଥିବା ସମୟରେ ସ୍ଥାନୀୟ କିଛି ସଚେତନ ଯୁବକଙ୍କ ନଜର ଏହା ଉପରେ ପଡ଼ିଥିଲା। ଯୁବକମାନେ ତୁରନ୍ତ ଏହାକୁ ବିରୋଧ କରି ହୋ-ହାଲ୍ଲା କରିବାରୁ ଧରାପଡ଼ିବା ଭୟରେ କାର୍ ଚାଳକ ଜଣକ ନିଜ ଗାଡ଼ି ନେଇ ଦ୍ରୁତ ଗତିରେ ଫେରାର୍ ହୋଇଯାଇଥିଲେ।
ଏହି ଗଣ୍ଡଗୋଳ ଓ ଦ୍ରୁତ ଗତିରେ ଫେରାର୍ ହେବା ସମୟରେ ଗୋଟିଏ ପାଲ ତଳେ ପଡ଼ିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ବରୀ ପୁଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ତଳେ ପଡ଼ିଥିବା ପାଲଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ବନ୍ୟା ସମୟରେ ଅସହାୟ ଲୋକଙ୍କ ପାଇଁ ସରକାରୀ ସାହାଯ୍ୟ ଭାବେ ଆସିଥିବା ସାମଗ୍ରୀକୁ ଏଭଳି ରାତି ଅଧିଆ ବିକ୍ରି କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହି ବେଆଇନ୍ କାରବାରରେ ତହସିଲ୍ର କେଉଁ କେଉଁ କର୍ମଚାରୀ ସାମିଲ ଅଛନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନ୍ୟା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ପି. ଅନୁସୟା ରେଡ୍ଡୀ ଏହି ଗମ୍ଭୀର ଅଭିଯୋଗ ଉପରେ କି ପ୍ରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଉପରେ ଏବେ ସ୍ଥାନୀୟ ଜନସାଧାରଣ ଓ ବିପନ୍ନଙ୍କ ନଜର ରହିଛି।




