କଟକ: ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ପୁଣି ଏକ ନୂଆ ବିବାଦ ମୁଣ୍ଡଟେକିଛି। ଛାତ୍ର ଆନ୍ଦୋଳନର ସମାଧାନ ପାଇଁ ଡକାଯାଇଥିବା ବୈଠକରେ ‘ଅସଦାଚରଣ’ ଓ ଅସମ୍ମାନଜନକ ବ୍ୟବହାର କରିଥିବା ଅଭିଯୋଗ ଆଣି ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ତଥା ମୁଖ୍ୟ ୱାର୍ଡେନ୍ ଡକ୍ଟର ସୁଦର୍ଶନ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଟକ ସଦର ବିଧାୟକ ତଥା ସିନେଟ୍ ସଦସ୍ୟ ପ୍ରକାଶ ଚନ୍ଦ୍ର ସେଠୀ। ଏନେଇ ସେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖି ଗୁହାରି କରିଛନ୍ତି।
ଅଗଷ୍ଟ ୪ ତାରିଖରେ ଲେଖାଯାଇଥିବା ଏହି ଚିଠିରେ ବିଧାୟକ ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲ ଛାତ୍ରମାନଙ୍କ ନିରବଚ୍ଛିନ୍ନ ଭୂଖଣ୍ଡ ହଡ଼ତାଳର ସମାଧାନ ପାଇଁ କୁଳପତିଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଡେପୁଟି ୱାର୍ଡେନ୍ଙ୍କ ନିର୍ଯାତନା ବିରୋଧରେ ଛାତ୍ରମାନେ ଏହି ଆନ୍ଦୋଳନ କରୁଥିଲେ। ରେଭେନ୍ସାର ସିନେଟ୍ ସଦସ୍ୟ ଏବଂ କଟକ ସଦରର ନିର୍ବାଚିତ ବିଧାୟକ ଭାବେ ସେ ଆପୋଷ ସମାଧାନ ପାଇଁ ଏହି ବୈଠକରେ ଯୋଗ ଦେଇଥିଲେ।
ବିଧାୟକଙ୍କ ଅଭିଯୋଗ ମୁତାବକ, ବୈଠକରେ ସେ ନିଜର ପରାମର୍ଶ ଦେଉଥିବା ସମୟରେ ପ୍ରଫେସର ଡକ୍ଟର ସୁଦର୍ଶନ ମିଶ୍ର ତାଙ୍କୁ ବାରମ୍ବାର ବାଧା ଦେଇଥିଲେ, ଯୁକ୍ତିତର୍କ କରିଥିଲେ ଏବଂ ଜଣେ ବରିଷ୍ଠ ଅଧିକାରୀଙ୍କ ଶୋଭା ପାଉନଥିବା ଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହି ପ୍ରକାର ଆଚରଣ ଜଣେ ଜନପ୍ରତିନିଧିଙ୍କ ପଦବୀ ଓ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି ବୋଲି ସେ ଦର୍ଶାଇଛନ୍ତି।
ଏହାକୁ ‘ଘୋର ଅସଦାଚରଣ’ (Gross Misconduct) ଆଖ୍ୟା ଦେଇ ଡକ୍ଟର ମିଶ୍ରଙ୍କ ବିରୋଧରେ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ଏହାସହ ଆଗାମୀ ଦିନରେ ଯେପରି ବିଧାନସଭା ଓ ଏହାର ସଦସ୍ୟଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହେବା ଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେବାକୁ ବିଧାୟକ ଦାବି କରିଛନ୍ତି।
ଅନ୍ୟପଟେ, ଡେପୁଟି ୱାର୍ଡେନ୍ଙ୍କ ଅସଦାଚରଣ ବିରୋଧରେ ହଷ୍ଟେଲ ଛାତ୍ରମାନଙ୍କ ଆନ୍ଦୋଳନ ଯୋଗୁଁ ରେଭେନ୍ସା କ୍ୟାମ୍ପସରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ଡକ୍ଟର ସୁଦର୍ଶନ ମିଶ୍ର କିମ୍ବା ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।




