କଟକ: ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ସାଂଘାତିକ ରୂପ ନେବାରେ ଲାଗିଛି। ବିଶ୍ୱବିଦ୍ୟାଳୟ ବ୍ୟାପାରରେ ବେଆଇନ୍ ରାଜନୈତିକ ହସ୍ତକ୍ଷେପ, ଅଧ୍ୟାପକମାନଙ୍କ ସ୍ୱାଭିମାନ ରକ୍ଷା ଏବଂ ଅନୁଷ୍ଠାନର ସ୍ୱାୟତ୍ତତା ଦାବି କରି ବୁଧବାର ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (RUTA) କୁଳପତିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛି।
କ୍ୟାମ୍ପସସ୍ଥିତ ‘ସେଭେନ୍ ପିଲାର୍ସ ଅଫ୍ ୱିଜଡମ୍’ରୁ ବାହାରି ଅଧ୍ୟାପକମାନେ କୁଳପତିଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବା, ପ୍ରଶାସନିକ କାର୍ଯ୍ୟରେ ରାଜନୈତିକ ସଂଯୋଗ ବନ୍ଦ କରିବା, ଶିକ୍ଷକଙ୍କ ମର୍ଯ୍ୟାଦା ରକ୍ଷା ଏବଂ କୁଳପତିଙ୍କ ପଦବୀ ଓ ଅନୁଷ୍ଠାନକୁ ସମ୍ମାନ ଦେବା ପାଇଁ ସଂଘ ଦାବି କରିଛି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩ ତାରିଖରେ ହଷ୍ଟେଲ ସମସ୍ୟାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ସମୟରେ, ମୁଖ୍ୟ ୱାର୍ଡେନ୍ ଥିବା ଜଣେ ବରିଷ୍ଠ ପ୍ରଫେସରଙ୍କୁ ଛାତ୍ରଙ୍କ ସମ୍ମୁଖରେ ଅସମ୍ମାନଜନକ ବ୍ୟବହାର ଓ କଟୁ ମନ୍ତବ୍ୟ ଦିଆଯାଇଥିବା ସଂଘ ଅଭିଯୋଗ କରିଛି। ଜଣେ ପ୍ରଫେସରଙ୍କ କହିବା ଅନୁଯାୟୀ, “ସେଦିନ କୁଳପତି, ମୁଖ୍ୟ ୱାର୍ଡେନ୍ ଓ ଆମେ ଉପସ୍ଥିତ ରହି ଛାତ୍ରମାନଙ୍କୁ ବୁଝାସୁଝା କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିସାରିଥିଲୁ। ହେଲେ କଟକ ସଦର ବିଧାୟକ ସେଠାରେ ପହଞ୍ଚି ଛାତ୍ରମାନଙ୍କୁ ଉସକାଇବା ସହ ବରିଷ୍ଠ ପ୍ରଫେସରଙ୍କୁ ଅତ୍ୟନ୍ତ ଅସୋଭନୀୟ ବ୍ୟବହାର କରିଥିଲେ।”
ଛାତ୍ରମାନେ ମଧ୍ୟ ବିଧାୟକଙ୍କୁ ଡାକି ନଥିବା ସ୍ପଷ୍ଟ କରିଥିବା ବେଳେ, ଏହି ଅନାବଶ୍ୟକ ରାଜନୈତିକ ହସ୍ତକ୍ଷେପ ଶିକ୍ଷାନୁଷ୍ଠାନର ସ୍ୱାଭିମାନକୁ କ୍ଷୁଣ୍ଣ କରିଛି ବୋଲି ଶିକ୍ଷକମାନେ କହିଛନ୍ତି।
ଏହି ସ୍ୱାଭିମାନ ପ୍ରଶ୍ନକୁ ନେଇ ଗତ ମଙ୍ଗଳବାର ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି। କୁଳପତି ଏହି ଘଟଣାର ଅନୁଧ୍ୟାନ ପାଇଁ ୭ ଦିନ ସମୟ ନେଇଛନ୍ତି। ଅନ୍ୟପଟେ, ଡେପୁଟି ୱାର୍ଡେନ୍ଙ୍କ କାର୍ଯ୍ୟାନୁଷ୍ଠାନ ଦାବିରେ ଅଗଷ୍ଟ ୨ରୁ ଆରମ୍ଭ ହୋଇଥିବା ଛାତ୍ରମାନଙ୍କ ଆମରଣ ଅନଶନ ଆଜି ବି ଜାରି ରହିଛି।




