ମ. ରାମପୁର: କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଅଞ୍ଚଳରେ ବରିଷ୍ଠ ବିଜେପି ନେତା ତଥା ଡମକରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ଫକୀର ରଣାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ବୁଧବାର ରାତିରେ ଫକୀର ରଣା ପଞ୍ଚାୟତ କାର୍ଯ୍ୟାଳୟରେ କେତେକ ସମର୍ଥକଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ବୈଠକ ଶେଷ କରି ବାହାରକୁ ଆସୁଥିବା ସମୟରେ କିଛି ଦୁର୍ବୃତ୍ତ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଛୁରୀରେ ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗୁରୁତର ଆହତ ଅବସ୍ଥାରେ ଫକୀର ରଣାଙ୍କୁ ତୁରନ୍ତ ମଦନପୁର ରାମପୁର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାର ସୂଚନା ପାଇବା ପରେ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି।
ଏହି ହତ୍ୟା ପରେ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଅବନତି ଘଟିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଅତିରିକ୍ତ ପୁଲିସ ବଳ ମୁତୟନ କରାଯାଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।




