ଭୁବନେଶ୍ୱର: ଗତକାଲି ରାତିରୁ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଜାରି ରହିଛି ପ୍ରବଳ ବର୍ଷା। ଲଗାଣ ବର୍ଷା ଯୋଗୁଁ ଉଭୟ ସହରର ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ରାଜଧାନୀର ବହୁ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହିବା ସହ ଲୋକଙ୍କ ଘରେ ପାଣି ପଶିଯିବାରୁ ସାଧାରଣ ନାଗରିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଆଜି ସକାଳ ୫ଟା ସୁଦ୍ଧା ଭୁବନେଶ୍ୱରରେ ୯୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ସକାଳ ୭ଟା ସୁଦ୍ଧା ଗତ ୧୨ ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ଅଞ୍ଚଳରେ ଭାରିରୁ ଅତି ଭାରି ବର୍ଷା ହୋଇଛି। ‘ଜୋମାଟୋ ଏଡବ୍ଲ୍ୟୁଏସ୍’ (Zomato AWS) ଷ୍ଟେସନ୍ ସୂଚନା ଅନୁଯାୟୀ, ମଧୁସୂଦନ ନଗରରେ ସର୍ବାଧିକ ୧୦୭.୦ ମିମି ବର୍ଷା ହୋଇଥିବା ବେଳେ ନୟାପଲ୍ଲୀରେ ୯୭.୨ ମିମି, ଜଗମୋହନ ନଗରରେ ୯୦.୪ ମିମି, ଲକ୍ଷ୍ମୀସାଗରରେ ୯୦.୦ ମିମି ଏବଂ ସହୀଦ ନଗରରେ ୮୩.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ଖଣ୍ଡଗିରିରେ ୭୩.୨ ମିମି, ଖାରବେଳ ନଗରରେ ୫୯.୪ ମିମି, ଚନ୍ଦ୍ରଶେଖରପୁରରେ ୫୦.୨ ମିମି ଓ ପଟିଆରେ ୩୪.୬ ମିମି ବର୍ଷା ହୋଇଛି।

ଲଗାଣ ବର୍ଷା ଯୋଗୁଁ ଶାନ୍ତିପଲ୍ଲୀ ବସ୍ତିର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଘରେ ବର୍ଷା ପାଣି ପଶିଯାଇଛି। ଫଳରେ ସ୍ଥାନୀୟ ବାସିନ୍ଦା ଜଳବନ୍ଦୀ ହୋଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରାଜଧାନୀର ମୁଖ୍ୟ ରାସ୍ତାଗୁଡ଼ିକରେ ପାଣି ଜମି ରହିବାରୁ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।

ବର୍ଷା କମିବାର କୌଣସି ଆଶୁ ସଙ୍କେତ ନଥିବାରୁ ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଜଳ ଜମିଥିବା ରାସ୍ତାରେ ଯାତାୟାତ ନକରିବାକୁ ଏବଂ ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।