ବାରିପଦା: ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ବନ୍ୟପ୍ରାଣୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଏବଂ ଚୋରା ଶିକାର ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ୩ରୁ ୪ ମାସ ମଧ୍ୟରେ ଶିମିଳିପାଳର ସଂବେଦନଶୀଳ ଅଞ୍ଚଳଗୁଡ଼ିକରେ ୫୦୦ରୁ ଊର୍ଦ୍ଧ୍ୱ ନୂତନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଆଧାରିତ ନଜର ରଖୁଥିବା କ୍ୟାମେରା ଖଞ୍ଜାଯିବ।

ସିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କ ସୂଚନା ଅନୁଯାୟୀ, ଏହି ନୂଆ କ୍ୟାମେରା ସ୍ଥାପନ ଦ୍ୱାରା ରିଅଲ-ଟାଇମ୍ ମନିଟରିଂ କ୍ଷମତା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇବ। ଫଳରେ ବନ୍ୟପ୍ରାଣୀଙ୍କ ଗତିବିଧି ଓ ଜଙ୍ଗଲିଆ କାର୍ଯ୍ୟକଳାପ ଉପରେ ଅଧିକ ସୂକ୍ଷ୍ମ ନଜର ରଖାଯାଇପାରିବ। ପୂର୍ବରୁ ସ୍ଥାପିତ କ୍ୟାମେରା ସାହାଯ୍ୟରେ ବେଆଇନ ଭାବେ ଅଭୟାରଣ୍ୟରେ ପ୍ରବେଶ କରୁଥିବା ବହୁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇସାରିଛି।

ଏହି ନୂତନ ଏଆଇ କ୍ୟାମେରାଗୁଡ଼ିକ ଯୋଗାଯୋଗ ଟାୱାର ସହ ଯୋଡ଼ାଯିବ। ଜଙ୍ଗଲରେ ଧୁଆଁ ବା ନିଆଁ ଲାଗିଲେ ଏହା ତୁରନ୍ତ ଚିହ୍ନଟ କରି ବନ କର୍ମଚାରୀଙ୍କ ନିକଟକୁ ସୂଚନା ଓ ଫଟୋ ପଠାଇବ, ଯାହାଦ୍ୱାରା ବନ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇପାରିବ। ଏହି ସିଷ୍ଟମରେ ସନ୍ଦିଗ୍ଧ ବ୍ୟକ୍ତି, ଗାଡ଼ି ଓ ମୋଟରସାଇକେଲ୍ ସଂରକ୍ଷିତ ଅଞ୍ଚଳକୁ ପଶିଲେ GPS-ଟ୍ୟାଗ୍ ହୋଇଥିବା ଫଟୋ ମାତ୍ର ୨ ମିନିଟ୍ ମଧ୍ୟରେ ଅଫିସରଙ୍କ ନିକଟରେ ପହଞ୍ଚିଯିବ।

ବର୍ତ୍ତମାନ ସିମିଳିପାଳର ଉତ୍ତର ଓ ଦକ୍ଷିଣ ଡିଭିଜନ୍ ସମେତ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଡିଭିଜନରେ ପ୍ରାୟ ୯୦୦ଟି ଏଆଇ କ୍ୟାମେରା କାର୍ଯ୍ୟକ୍ଷମ ରହିଛି। ସଫଳତାକୁ ଦୃଷ୍ଟିରେ ରଖି ପ୍ରାୟ ୨.୨୫ କୋଟି ଟଙ୍କା ବ୍ୟୟରେ ନୂତନ ୫୦୦ କ୍ୟାମେରା କ୍ରୟ କରାଯାଇଛି, ଯାହାକୁ ୫ଟି ଡିଭିଜନର ୧,୩୦୦ ଜଙ୍ଗଲ ବିଟ୍‌ରେ ଲଗାଯିବାର କାର୍ଯ୍ୟ ଜାରି ରହିଛି।