ଜାତୀୟ ରାଜନୀତିରେ ଚର୍ଚ୍ଚା, ସଫେଇ ଦେଲେ ଥରୁର

ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ସଂଘଚାଳକ ମୋହନ ଭାଗବତ ଯୋଗଦେଉଥିବା ଏକ ପ୍ରମୁଖ ଯୁବ ସମାବେଶରେ କଂଗ୍ରେସର ବରିଷ୍ଠ ସାଂସଦ ଶଶୀ ଥରୁର ସାମିଲ ହେବାକୁ ନେଇ ଜାତୀୟ ରାଜନୀତିରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଛି। ମୁମ୍ବାଇରେ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ମୋହନ ଭାଗବତ ଯୁବ ଛାତ୍ରମାନଙ୍କ ସହ ମତ ବିନିମୟ କରୁଥିବା ବେଳେ ଶଶୀ ଥରୁର ଏହାର ବିଭିନ୍ନ ଅଧିବେଶନରେ ଅଧ୍ୟକ୍ଷତା କରୁଛନ୍ତି।

ତେବେ ଏହି ସମାବେଶକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ସାଂସଦ ଶଶୀ ଥରୁର ନିଜର ସଫେଇ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଆରଏସଏସ ଦ୍ୱାରା ଆୟୋଜିତ ନୁହେଁ। ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ ମୁଭମେଣ୍ଟ ଟୁ ୟୁନାଇଟ ନେସନ’ (IIMUN) ଦ୍ୱାରା ଆୟୋଜିତ ଏହି ସମାବେଶର ଆରମ୍ଭରୁ ସେ ଏହାର ପରାମର୍ଶଦାତା ମଣ୍ଡଳୀର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହା ଏକ ସ୍ୱାଧୀନ ସଂସ୍ଥା ହୋଇଥିବାରୁ ଏଥିରେ ସମାଜର ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତିମାନଙ୍କୁ ଆମନ୍ତ୍ରଣ କରାଯାଏ ଏବଂ ଆରଏସଏସ ମୁଖ୍ୟଙ୍କ ଯୋଗଦାନରେ ତାଙ୍କର କୌଣସି ପ୍ରତ୍ୟକ୍ଷ ଭୂମିକା ନାହିଁ।

ଏହି ସମାବେଶରେ “ସମଗ୍ର ପୃଥିବୀକୁ ଏକାଠି କରିବାରେ ଭାରତୀୟ ଯୁବକମାନଙ୍କ ଭୂମିକା” ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ଚାଲିଛି, ଯେଉଁଥିରେ ପ୍ରାୟ ୨,୦୦୦ ଛାତ୍ର ଓ ଯୁବପିଢ଼ି ଅଂଶଗ୍ରହଣ କରିଛନ୍ତି।

ଅନ୍ୟପକ୍ଷରେ, ରାଜନୈତିକ ସମୀକ୍ଷକଙ୍କ ମତରେ, ବିଭିନ୍ନ ସମୟରେ ଦଳୀୟ ଆଭିମୁଖ୍ୟରୁ ନିଆରା ବୟାନ ଦେଉଥିବା ଶଶୀ ଥରୁରଙ୍କ ଏହି ପଦକ୍ଷେପ ପଛରେ କଂଗ୍ରେସ ପ୍ରତି ତାଙ୍କର ଅସନ୍ତୋଷ ଥାଇପାରେ। କେରଳ ନିର୍ବାଚନ ପୂର୍ବରୁ ତାଙ୍କୁ ଦଳୀୟ ବା ଲୋକସଭାରେ ବଡ଼ ପଦବୀ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ନିର୍ବାଚନର ତିନି ମାସ ପରେ ମଧ୍ୟ ତାଙ୍କୁ ଥଇଥାନ କରାଯାଇନାହିଁ। ତେଣୁ RSS ମୁଖ୍ୟଙ୍କ ସହ ମଞ୍ଚ ଭାଗ କରି ଶଶୀ ଥରୁର କଂଗ୍ରେସ ହାଇକମାଣ୍ଡଙ୍କୁ ନିଜ ଅସନ୍ତୋଷର ସ୍ପଷ୍ଟ ବାର୍ତ୍ତା ଦେଉଥିବା ଚର୍ଚ୍ଚା ହେଉଛି।