ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ନିର୍ମିତ ହୋଇଥିବା ଆନିମେସନ ଫିଲ୍ମ ‘ମହାପ୍ରଭୁ ଶ୍ରୀ ଜଗନ୍ନାଥ’କୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହି ଫିଲ୍ମ ରିଲିଜ୍ ହେଲେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଅପମାନ ହେବ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମା ତୀବ୍ର ବିରୋଧ କରିଛନ୍ତି। ମହାପ୍ରଭୁଙ୍କୁ ଏଭଳି ‘କାର୍ଟୁନ୍’ ରୂପରେ ଚିତ୍ରିତ କରିବାରୁ ଫିଲ୍ମ ନିର୍ମାଣ ସଂସ୍ଥା କ୍ଷାନ୍ତ ରହୁ ବୋଲି ସେ ଦାବି କରିଛନ୍ତି।
ଅନ୍ୟପଟେ, ଏହି ଆନିମେଟେଡ଼ ଫିଲ୍ମର ପ୍ରଦର୍ଶନ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ଓଡ଼ିଶା ହାଇକୋର୍ଟରେ ଆସନ୍ତା ୧୩ ତାରିଖକୁ ଘୁଞ୍ଚିଯାଇଛି। ସିନେମାରେ ମହାପ୍ରଭୁଙ୍କ ସଂସ୍କୃତି, ରୀତିନୀତି ଏବଂ ପରମ୍ପରାକୁ କଦର୍ଥ କରାଯାଇଥିବା ଅଭିଯୋଗ ହୋଇଥିବାରୁ ହାଇକୋର୍ଟ ପୂର୍ବରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହାର ପ୍ରଦର୍ଶନ ଉପରେ ରୋକ୍ ଲଗାଇଛନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ପ୍ରଦର୍ଶନ ଉପରେ ରୋକ୍ ଲଗାଇବାକୁ ମନା କରିଥିବା ବେଳେ ଏବେ ସମସ୍ତଙ୍କ ନଜର ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ଉପରେ ରହିଛି।
ଏହି ସିନେମାରେ ମହାପ୍ରଭୁଙ୍କୁ ନେଇ କପୋଳକଳ୍ପିତ କାହାଣୀ ପ୍ରଦର୍ଶିତ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି ପକ୍ଷରୁ କ୍ରମାଗତ ବିରୋଧ ଜାରି ରହିଛି। ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ସଦସ୍ୟ ଓ ବିଦ୍ୱାନ ପଣ୍ଡିତମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
‘ଏଲି ଏନିମେସନ ପ୍ରାଇଭେଟ୍ ଲିମିଟେଡ’ର ପ୍ରଯୋଜକ ଏହି ଫିଲ୍ମ ସମ୍ପୂର୍ଣ୍ଣ କାଳ୍ପନିକ ବୋଲି ସ୍ୱୀକାର କରିବା ସହ ରିଲିଜ୍ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗଜପତି ଦିବ୍ୟସିଂହ ଦେବ ମତ ରଖିଛନ୍ତି ଯେ, ଯୁବ ଉଦ୍ୟୋଗୀମାନେ ମହାପ୍ରଭୁଙ୍କ ମହିମା ଛୋଟ ପିଲାଙ୍କ ପାଖରେ ପହଞ୍ଚାଇବା ସ୍ୱାଗତଯୋଗ୍ୟ, ମାତ୍ର ଏହା ସନାତନ ଶାସ୍ତ୍ର କିମ୍ବା ଲୋକମାନ୍ୟ କିମ୍ବଦନ୍ତୀ ଆଧାରରେ ହେବା ଉଚିତ୍। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏଭଳି ନକାରାତ୍ମକ ଓ ଭ୍ରାନ୍ତ ଧାରଣା ଛୋଟ ପିଲାଙ୍କ ମନକୁ ଯିବା ଉଚିତ୍ ନୁହେଁ ବୋଲି ଦର୍ଶାଇ ପ୍ରଯୋଜକଙ୍କୁ ସ୍କନ୍ଦ ପୁରାଣ ଆଧାରିତ ସତ୍ୟ କାହାଣୀ ନେଇ ଫିଲ୍ମ ନିର୍ମାଣ କରିବାକୁ ଅନୁରୋଧ କରାଯାଇଛି।




