ନୂଆଦିଲ୍ଲୀ: ସମ୍ବେଦନଶୀଳ ପ୍ରତିରକ୍ଷା ସୂଚନା ଲିକ୍‌ କରିଥିବା ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଅଧିକାରୀଙ୍କ ବିରୋଧରେ ସରକାରୀ ଗୁପ୍ତ ଆଇନ (Official Secrets Act) ଅଧୀନରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଥିବା ସୂଚନା ମିଳିଛି।

ପୁଲିସ ସୂତ୍ର ଅନୁଯାୟୀ, ୱିଙ୍ଗ କମାଣ୍ଡର ଜଣକ ଏକ ଫିଲ୍ଡ ୟୁନିଟ୍‌ରେ ନିଯୁକ୍ତ ଥିବା ସମୟରେ କଥିତ ଭାବେ ହନିଟ୍ରାପ୍‌ର ଶିକାର ହୋଇଥିଲେ। ସୋସିଆଲ ମିଡିଆ ଜରିଆରେ ଜଣେ ମହିଳା ତାଙ୍କ ସହ ଯୋଗାଯୋଗ କରିଥିବା ଏବଂ ଧୀରେ ଧୀରେ ସମ୍ପର୍କ ବଢ଼ାଇଥିବା ଅଭିଯୋଗ ହୋଇଛି।

ଚାଟ୍‌ ଓ ଭିଡିଓ କଲ୍‌ ମାଧ୍ୟମରେ ତଥ୍ୟ ହାସଲ ଅଭିଯୋଗ

ତଦନ୍ତକାରୀଙ୍କ ଅନୁଯାୟୀ, ସମ୍ପର୍କ ବଢ଼ିବା ପରେ ମହିଳା ଜଣକ ଅଧିକାରୀଙ୍କଠାରୁ ସାମରିକ କାର୍ଯ୍ୟକଳାପ ଓ ସୈନ୍ୟ ମୁତୟନ ସମ୍ପର୍କିତ ସୂଚନା ମାଗିଥିବା ଅଭିଯୋଗ ହୋଇଛି। ଏହାପରେ ଅଧିକାରୀ ଜଣକ ଡିଜିଟାଲ୍‌ ମାଧ୍ୟମରେ ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଦସ୍ତାବିଜ ଓ ତଥ୍ୟ ସେୟାର କରିଥିବା ପୁଲିସ ସନ୍ଦେହ କରୁଛି।

ପୁଲିସ ଏବେ ଅଧିକାରୀ ଓ ଉକ୍ତ ମହିଳାଙ୍କ ମଧ୍ୟରେ ହୋଇଥିବା ଚାଟ୍‌, ଭିଡିଓ କଲ୍‌ ଓ ଅନ୍ୟାନ୍ୟ ଡିଜିଟାଲ୍‌ ଯୋଗାଯୋଗର ଯାଞ୍ଚ କରୁଛି।

ସହଯୋଗୀ ଅଧିକାରୀଙ୍କ ଫୋନ୍‌ରେ ସନ୍ଦିଗ୍ଧ ଆପ୍‌!

ତଦନ୍ତ ସମୟରେ ଆଉ ଏକ ଗୁରୁତର ତଥ୍ୟ ସାମ୍ନାକୁ ଆସିଥିବା ପୁଲିସ ସୂତ୍ର ଦାବି କରିଛି। ୱିଙ୍ଗ କମାଣ୍ଡର ଜଣକ ଜଣେ ସହଯୋଗୀ ଅଧିକାରୀଙ୍କ ମୋବାଇଲ୍‌ ଫୋନ୍‌ରେ ଏକ ସନ୍ଦିଗ୍ଧ ଆପ୍‌ ଇନ୍‌ଷ୍ଟଲ୍‌ କରିଥିବା ଅଭିଯୋଗ ହୋଇଛି।

ପୁଲିସ ସନ୍ଦେହ କରୁଛି ଯେ ଏହି ଆପ୍‌ ସ୍ପାଏୱେର୍‌ କିମ୍ବା ରିମୋଟ୍‌ ଆକ୍ସେସ୍‌ ମାଲୱେର୍‌ ଭଳି କାମ କରିପାରେ। ଏହା ମାଧ୍ୟମରେ ଡିଭାଇସ୍‌ର ତଥ୍ୟ, ଲୋକେସନ୍‌ କିମ୍ବା ଯୋଗାଯୋଗ ସମ୍ପର୍କିତ ସୂଚନା ହାସଲ କରାଯାଇଥିଲା କି ନାହିଁ, ତାହାର ତଦନ୍ତ ଚାଲିଛି।

ପାକିସ୍ତାନ ଲିଙ୍କ୍‌ ନେଇ ତଦନ୍ତ

ପୁଲିସ ସୂତ୍ର ଅନୁଯାୟୀ, ଅଧିକାରୀଙ୍କ ସହ ସୋସିଆଲ ମିଡିଆରେ ଯୋଗାଯୋଗ କରିଥିବା ମହିଳା ଜଣକ ପାକିସ୍ତାନର କଥିତ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ କାମ କରୁଥିଲେ କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।

ଅଧିକାରୀ କେତେ ପରିମାଣର ସମ୍ବେଦନଶୀଳ ପ୍ରତିରକ୍ଷା ସୂଚନା ସେୟାର କରିଥିଲେ ଏବଂ ଏହି ନେଟୱାର୍କରେ ଆଉ କେତେଜଣ ବ୍ୟକ୍ତି ସାମିଲ ଅଛନ୍ତି, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।

ମେ’ ୩୧ରେ ଗିରଫ

ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନାର ଗୁଇନ୍ଦା ବିଭାଗ ଏହି ମାମଲା ସମ୍ପର୍କିତ କିଛି ତଥ୍ୟ ଦିଲ୍ଲୀ ପୁଲିସକୁ ପ୍ରଦାନ କରିଥିଲା। ଏହାପରେ ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ପୁଲିସ ଅଭିଯୋଗ ଦାଖଲ କରି ତଦନ୍ତ ଆରମ୍ଭ କରିଥିଲା। ମେ’ ୩୧ ରାତିରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଏବେ ମାମଲାରେ କେତେ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇଛି, ଏହା କାହା ପାଖରେ ପହଞ୍ଚିଛି ଏବଂ ଏହା ପଛରେ ଆଉ କୌଣସି ବ୍ୟକ୍ତି କିମ୍ବା ନେଟୱାର୍କର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।