ରାୟଗଡ଼ା: ଔଷଧ ଦୋକାନରୁ ଔଷଧ ଓ ଇଞ୍ଜେକ୍ସନ୍ ନେବା ସାଜିଲା କାଳ। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେ ପୁର (JK Pur) ଅଞ୍ଚଳରେ ଜଣେ ମହିଳାଙ୍କୁ ଭୁଲ୍ ଇଞ୍ଜେକ୍ସନ୍ ଦିଆଯିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ଗେଟିପଡ଼ା ଗ୍ରାମର ୫୫ ବର୍ଷୀୟା ବୈଦେହୀ କୁମାର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବୈଦେହୀ ଗତ କିଛି ଦିନ ହେବ ସାଧାରଣ ଜ୍ୱର ଓ ଥଣ୍ଡାରେ ପୀଡ଼ିତ ଥିଲେ। ରୋଗରୁ ଉପଶମ ପାଇଁ ସେ ଜେକେ ପୁରସ୍ଥିତ ଏକ ମେଡିସିନ୍ ଷ୍ଟୋରକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀ ଏ.କେ. ଭଦ୍ର ତାଙ୍କୁ ଗୋଟିଏ ଇଞ୍ଜେକ୍ସନ୍ ଦେଇଥିବା ଅଭିଯୋଗ ହୋଇଛି। ତେବେ ଇଞ୍ଜେକ୍ସନ୍ ନେବାର କିଛି ସମୟ ମଧ୍ୟରେ ବୈଦେହୀଙ୍କ ଶରୀରରେ ଅସହ୍ୟ କଷ୍ଟ ଓ ସାଂଘାତିକ ଜଟିଳତା ଦେଖାଦେଇଥିଲା।

ସ୍ଥିତି ବିଗୁଡ଼ୁଥିବା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଔଷଧ ଦୋକାନ କର୍ମଚାରୀଙ୍କ ଚିକିତ୍ସାଗତ ଅବହେଳା ଯୋଗୁଁ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ କରି ପରିବାର ଲୋକେ ଚାନ୍ଦିଲି ଥାନାରେ ଏକ ଆନୁଷ୍ଠାନିକ ଏତଲା ଦାଖଲ କରିଛନ୍ତି।

ଅଭିଯୋଗ ଆଧାରରେ ଚାନ୍ଦିଲି ପୁଲିସ ଅଭିଯୁକ୍ତ କର୍ମଚାରୀ ଏ.କେ. ଭଦ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ‘ଭାରତୀୟ ନ୍ୟାୟ ସଂହିତା’ (BNS) ର ସମ୍ପୃକ୍ତ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ଏବଂ ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରକାଶ କରିଛି। ବେଆଇନ୍ ଭାବେ ଡାକ୍ତରୀ ପରାମର୍ଶ ବିନା ଔଷଧ ଦୋକାନରେ ଚିକିତ୍ସା କରାଯାଉଥିବାରୁ ସାଧାରଣରେ ଗଭୀର ଚିନ୍ତା ପ୍ରକାଶ ପାଇଛି।