ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ନ୍ୟାସନାଲ୍ ଏକାଡେମୀ ଅଫ୍ ଲିଗାଲ୍ ଷ୍ଟଡିଜ୍ ଆଣ୍ଡ୍ ରିସର୍ଚ୍ଚ (NALSAR) ବିଶ୍ୱବିଦ୍ୟାଳୟର ୨୦୨୬ ବ୍ୟାଚ୍ର କିଛି ଛାତ୍ରଛାତ୍ରୀ ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି କରାଯିବା ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି।
ଛାତ୍ରଛାତ୍ରୀଙ୍କ ଏକ ଗୋଷ୍ଠୀ କୁଳପତି, ରେଜିଷ୍ଟ୍ରାର, ଅଧ୍ୟାପକ ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଚିଠି ଲେଖି CJIଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ ନେଇ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ସାମ୍ପ୍ରତିକ କିଛି ନ୍ୟାୟିକ ଘଟଣା ଓ CJIଙ୍କ ମନ୍ତବ୍ୟକୁ ନେଇ ସେମାନେ ଚିନ୍ତା ପ୍ରକାଶ କରିଥିବା ରିପୋର୍ଟରୁ ଜଣାପଡ଼ିଛି।
CJIଙ୍କ ମନ୍ତବ୍ୟକୁ ନେଇ ଆପତ୍ତି
ଛାତ୍ରଛାତ୍ରୀମାନେ ନିଜ ଚିଠିରେ ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ପ୍ରତିବାଦ ସମ୍ପର୍କିତ ଏକ ମାମଲାରେ CJIଙ୍କ ମନ୍ତବ୍ୟ ଏବଂ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ‘କକ୍ରୋଚ୍’ ସହ ତୁଳନା କରାଯାଇଥିବା ମନ୍ତବ୍ୟକୁ ନେଇ ଆପତ୍ତି ଜଣାଇଛନ୍ତି।
ମେ’ ମାସରେ ଏକ ମାମଲାର ଶୁଣାଣି ସମୟରେ CJI ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସୋସିଆଲ୍ ମିଡିଆ ଓ ବିଭିନ୍ନ ପ୍ଲାଟଫର୍ମରେ ନ୍ୟାୟ ବ୍ୟବସ୍ଥାକୁ ଆକ୍ରମଣ କରୁଥିବା କିଛି ଯୁବକଙ୍କ ସମ୍ପର୍କରେ କଠୋର ମନ୍ତବ୍ୟ ଦେଇଥିବା ରିପୋର୍ଟ ରହିଛି।
ଛାତ୍ରଛାତ୍ରୀଙ୍କ ଯୁକ୍ତି ହେଉଛି, ଏଭଳି ମନ୍ତବ୍ୟ ଆଇନ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ପ୍ରତି ଉଦାସୀନ ମନୋଭାବକୁ ପ୍ରତିଫଳିତ କରୁଛି। ତେଣୁ ସମାବର୍ତ୍ତନ ମଞ୍ଚରୁ CJIଙ୍କ ହାତରୁ ଡିଗ୍ରୀ ଗ୍ରହଣ କରିବା ନେଇ କିଛି ଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସମାବର୍ତ୍ତନ ନେଇ ଏପର୍ଯ୍ୟନ୍ତ ଅସ୍ପଷ୍ଟତା
NALSARର ସମାବର୍ତ୍ତନ ସମାରୋହରେ CJIଙ୍କୁ ମୁଖ୍ୟ ଅତିଥି କରାଯିବା ପ୍ରସଙ୍ଗରେ ଛାତ୍ରମାନଙ୍କ ଆପତ୍ତି ସାମ୍ନାକୁ ଆସିଥିବା ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମାବର୍ତ୍ତନର ତାରିଖ କିମ୍ବା CJIଙ୍କ ଉପସ୍ଥିତି ନେଇ ଚୂଡ଼ାନ୍ତ ଘୋଷଣା ହୋଇନଥିବା ରିପୋର୍ଟରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୬ ଫେବ୍ରୁଆରିରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଛତିଶଗଡ଼ର ହିଦାୟତୁଲ୍ଲା ନ୍ୟାସନାଲ୍ ଲ’ ୟୁନିଭର୍ସିଟିର ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।




