ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅଧୀନ ବେଲପଡ଼ା ବ୍ଲକର ଧୂମାଭଟା ପଞ୍ଚାୟତ ଅନ୍ତର୍ଗତ କଲଚିକଚ୍ଛାର ଗ୍ରାମରେ ଦିନଦ୍ୱିପ୍ରହରେ ଏକ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ପ୍ରାୟ ୬ ଭରି ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଚାଷ କାମକୁ ଯାଇଥିଲେ, ଫେରି ଦେଖିଲେ ଘରେ ଚୋରି

ସୂଚନା ଅନୁଯାୟୀ, କଲଚିକଚ୍ଛାର ଗ୍ରାମର ଟୁନୁ ବୁଡେକ ଚାଷ କାମ ପାଇଁ ସକାଳୁ ଜମିକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶିଥିବା ଅଭିଯୋଗ ହୋଇଛି।

ଟୁନୁ ଘରକୁ ଫେରିବା ପରେ ଘରର କବାଟ ଏବଂ ଆଲମାରି ଖୋଲା ଥିବା ଦେଖିଥିଲେ। ଆଲମାରିରେ ରଖାଯାଇଥିବା ପ୍ରାୟ ୬ ଭରି ସୁନା ଗହଣା ନଥିବା ଜଣାପଡ଼ିବା ପରେ ସେ ବେଲପଡ଼ା ଥାନାରେ ଅଭିଯୋଗ କରିଥିଲେ।

ପୁଲିସର ତଦନ୍ତ ଆରମ୍ଭ

ଅଭିଯୋଗ ଆଧାରରେ ବେଲପଡ଼ା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପୁଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିଛନ୍ତି।

ଚୋରିରେ କିଏ ସମ୍ପୃକ୍ତ ଏବଂ ଲୁଟ୍‌ ହୋଇଥିବା ସୁନା ଗହଣା କେଉଁଠାରେ ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।