ଭୁବନେଶ୍ୱର: ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମୱାର୍କ (IIRF) ୨୦୨୬ ରାଙ୍କିଂରେ ଓଡ଼ିଶାର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ସ୍ଥାନ ପାଇଛି। ଉପଲବ୍ଧ IIRF ତଥ୍ୟ ଅନୁସାରେ, ରାଜ୍ୟର ଏହି ପ୍ରମୁଖ ମେଡିକାଲ ଅନୁଷ୍ଠାନଗୁଡ଼ିକ ଜାତୀୟସ୍ତରରେ ନିଜର ସ୍ଥାନ ଦୃଢ଼ କରିଛନ୍ତି। IIRF ୨୦୨୬ରେ ମେଡିକାଲ ଶ୍ରେଣୀର ରାଙ୍କିଂ ପ୍ରକାଶ କରାଯାଇଛି।
ରାଙ୍କିଂ ଅନୁସାରେ SCB ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ, AIIMS ଭୁବନେଶ୍ୱର ୧୬ତମ, VIMSAR, ବୁର୍ଲା ୬୪ତମ ଏବଂ MKCG ମେଡିକାଲ କଲେଜ, ବ୍ରହ୍ମପୁର ୭୪ତମ ସ୍ଥାନରେ ରହିଛି।
ଏହାର ଅର୍ଥ, ଓଡ଼ିଶାର ଏକ ସରକାରୀ ମେଡିକାଲ କଲେଜ SCB ମେଡିକାଲ କଲେଜ ଏହି ରାଙ୍କିଂରେ AIIMS ଭୁବନେଶ୍ୱରଠାରୁ ଗୋଟିଏ ସ୍ଥାନ ଆଗରେ ରହିଛି। IIRF ନିଜ ରାଙ୍କିଂରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷା, ଗବେଷଣା, ଭବିଷ୍ୟତମୁଖୀ ଦୃଷ୍ଟିକୋଣ ଓ ଅନ୍ୟାନ୍ୟ ମାନଦଣ୍ଡକୁ ବିଚାରକୁ ନେଇଥାଏ।
ଏହି ସଫଳତା ପାଇଁ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ରାଙ୍କିଂରେ ସ୍ଥାନ ପାଇଥିବା ମେଡିକାଲ କଲେଜଗୁଡ଼ିକର ଡାକ୍ତର, ଶିକ୍ଷକ, ଛାତ୍ରଛାତ୍ରୀ, ନର୍ସିଂ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଏହି ରାଙ୍କିଂ କେବଳ ଏକ ସଫଳତା ନୁହେଁ, ବରଂ ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକୁ ଜାତୀୟସ୍ତରରେ ଆହୁରି ଉଚ୍ଚ ସ୍ଥାନକୁ ନେବା ପାଇଁ ପ୍ରେରଣା। ରାଜ୍ୟ ସରକାର ଚିକିତ୍ସା ଶିକ୍ଷା, ଗବେଷଣା, ଆଧୁନିକ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦିଗରେ ନିରନ୍ତର ପ୍ରୟାସ କରୁଥିବା ସେ କହିଛନ୍ତି।




