ସୋନପୁର: “ନିଶାମୁକ୍ତ ଓଡ଼ିଶା ଅଭିଯାନ” ଅଧୀନରେ ସୋନପୁର ପୁଲିସକୁ ବଡ଼ ସଫଳତା ମିଳିଛି। ସୁବଳୟା ଥାନା ପୁଲିସ ଚଢ଼ାଉ କରି ଏକ ଟ୍ରକରୁ ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୩ କୋଟି ଟଙ୍କା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସୁବଳୟା ଥାନା ଅଞ୍ଚଳ ଦେଇ ଏକ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୁଲିସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା।
ତେବେ ପୁଲିସର ଉପସ୍ଥିତି ସମ୍ପର୍କରେ ଜାଣିପାରି ଟ୍ରକ୍ ଚାଳକ ଓ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଟ୍ରକ୍ଟିକୁ ଜବତ କରିବା ସହ ଏଥିରୁ ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି।
ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସୁବଳୟା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତନାଘନା ଜାରି ରହିଛି। ଏହି ଚାଲାଣ ପଛରେ କେଉଁମାନେ ରହିଛନ୍ତି ଏବଂ ଗଞ୍ଜେଇ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।




