ଗଞ୍ଜାମ: ରାଜ୍ୟର ଖଣି ମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଥମିବାର ନାଁ ଧରୁନି ଲଘୁ ଖଣିଜ ସମ୍ପଦ ଲୁଟ୍। ମୋରମ ମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁଁ ଅଞ୍ଚଳର ପାହାଡ଼ଗୁଡ଼ିକ ଧୀରେ ଧୀରେ ସଫା ହେବାକୁ ବସିଲାଣି। କେଉଁଠି ରାଜସ୍ୱ ବିଭାଗର ପାହାଡ଼ ତ ଆଉ କେଉଁଠି ଜଙ୍ଗଲ ବିଭାଗ ଅଧୀନରେ ଥିବା ପାହାଡ଼, ସବୁଠି ଅହରହ ଚାଲିଛି ବେଆଇନ୍ ମୋରମ ଖୋଳା ଏବଂ ଚୋରାଚାଲାଣ।
ବିଶେଷକରି ଗଞ୍ଜାମ ଓ ଖଲ୍ଲିକୋଟ ତହସିଲ ଅଞ୍ଚଳରେ ଏହି ବେଆଇନ୍ କାରବାର ବ୍ୟାପକ ରୂପ ନେଇଛି। ଖଲ୍ଲିକୋଟ ଅଞ୍ଚଳର ଶ୍ୟାମସୁନ୍ଦରପୁର, ବାଘୁଆ, ଝୋଳାମାଳ, ସାନଘାଟି, ବାଦପଲ୍ଲୀ ଏବଂ କୋମଣ୍ଡ ନିକଟସ୍ଥ ପାହାଡ଼ଗୁଡ଼ିକରୁ ଦିନରାତି ମୋରମ ଖୋଳାଯାଇ ଜେସିବି ଓ ଟ୍ରକ ଯୋଗେ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ୧୬ ନମ୍ବର ଜାତୀୟ ରାଜପଥ ଦେଇ ପଡ଼ୋଶୀ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳକୁ ମଧ୍ୟ ବିପୁଳ ପରିମାଣର ମୋରମ ଚୋରାଚାଲାଣ ହେଉଛି।
ବାରମ୍ବାର ସ୍ଥାନୀୟ ଲୋକଙ୍କ ଅଭିଯୋଗ ସତ୍ତ୍ୱେ ଖଣି ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ଦଣ୍ଡବିଧାନମୂଳକ ପଦକ୍ଷେପ ନିଆଯାଉନାହିଁ। ଜାତୀୟ ରାଜପଥରେ ପୋଲିସ ଓ ପରିବହନ ବିଭାଗର ଚେକ୍ଗେଟ୍ ଓ ପାଟ୍ରୋଲିଂ ସତ୍ତ୍ୱେ ଏହି ମୋରମ ବୋଝେଇ ଗାଡ଼ିଗୁଡ଼ିକ କିପରି ଖସିଯାଉଛନ୍ତି, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖଣି ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ସର୍ବସାଧାରଣରେ ଲୁଟ୍ ଚାଲିଥିବା ବେଳେ ପ୍ରଶାସନ କାହା ଚାପରେ ନିରବଦ୍ରଷ୍ଟା ସାଜିଛି? ଏହି ବେଆଇନ୍ ଚୋରାଚାଲାଣ ଯୋଗୁଁ ସରକାରୀ କୋଷାଗାରରୁ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି। ମାଫିଆଙ୍କ ବିରୋଧରେ କଡ଼ା ମାମଲା ରୁଜୁ କରିବା ସହ ଏହି ରାଜସ୍ୱ କ୍ଷତିର ଭରଣା କିପରି ହେବ, ସେ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।




