ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜୁ ଜନତା ଦଳ ର ଦାବି ଏବଂ ସଂଗ୍ରାମ ଆଗାମୀ ଦିନରେ ମଧ୍ୟ ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ରବିବାର ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୋହରାଇଛନ୍ତି।

‘ବିଶ୍ୱ ଆଦିବାସୀ ଦିବସ’ ଅବସରରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ଯେ, ଓଡ଼ିଶାର ବିଶାଳ ଆଦିବାସୀ ଜନସଂଖ୍ୟାର ଅଧିକାର, ସ୍ୱୀକୃତି ଏବଂ ସ୍ୱାଭିମାନ ପାଇଁ ତାଙ୍କ ଦଳ ସଦାସର୍ବଦା ଦୃଢ଼ ଭାବେ ଠିଆ ହୋଇଛି। ଆଦିବାସୀ ସଶକ୍ତୀକରଣ କେବଳ ଏକ ପ୍ରତିଶ୍ରୁତି ନୁହେଁ, ବରଂ ଏହା ବିଜେଡି ସରକାରଙ୍କ ଶାସନକାଳରେ ମୁଖ୍ୟ ଆଭିମୁଖ୍ୟ ଓ ଆଧାରଶିଳା ଥିଲା ବୋଲି ସେ ମନେ ପକାଇ ଦେଇଛନ୍ତି।

ନିଜ କାର୍ଯ୍ୟକାଳ ମଧ୍ୟରେ ଗ୍ରହଣ କରାଯାଇଥିବା ଐତିହାସିକ ପଦକ୍ଷେପଗୁଡ଼ିକର ଅବତାରଣା କରି ସେ କହିଛନ୍ତି ଯେ, ବନଜାତ ଦ୍ରବ୍ୟ ଉପରେ ପଞ୍ଚାୟତଗୁଡ଼ିକୁ ମାଲିକାନା ଅଧିକାର ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଜାର ହଜାର ହଷ୍ଟେଲ ନିର୍ମାଣ, ଉଚ୍ଚଶିକ୍ଷା ପାଇଁ ‘ଅନ୍ୱେଷା’ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ଜଙ୍ଗଲ ଜମି ଅଧିକାର ସୁନିଶ୍ଚିତ କରିବା ଭଳି କ୍ରାନ୍ତିକାରୀ ଯୋଜନା ଲାଗୁ କରାଯାଇଥିଲା। ଏହିସବୁ ପଦକ୍ଷେପ ଆଦିବାସୀ ସମ୍ପ୍ରଦାୟଙ୍କ ସ୍ୱାଭିମାନ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ସହ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତ ସହ ଯୋଡ଼ିପାରିଛି।

ରାଜ୍ୟର ୨୩ଟି ଜିଲ୍ଲାରେ ଗଠନ କରାଯାଇଥିବା ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ (Special Development Councils) ର ସଫଳତା ସମ୍ପର୍କରେ ଉଲ୍ଲେଖ କରି ନବୀନ କହିଛନ୍ତି ଯେ, ଏହା ଆଦିବାସୀ ଭାଇଭଉଣୀମାନଙ୍କୁ ନିଜ କଳା, ସଂସ୍କୃତି, ଭାଷା ଏବଂ ପରମ୍ପରାର ସଂରକ୍ଷଣ ପାଇଁ ସମାନ ଭାଗିଦାରୀ ପ୍ରଦାନ କରିଥିବା ଏକ ଅନନ୍ୟ ମଞ୍ଚ ସାବ୍ୟସ୍ତ ହୋଇଛି। ଆଦିବାସୀଙ୍କ ଜ୍ଞାନ ଓ ସଂସ୍କୃତିକୁ ସମ୍ମାନ ଦେବା ସହ ସେମାନଙ୍କ ସମାଜର ପ୍ରଗତି ହିଁ ପ୍ରକୃତ ବିକାଶର ପରିଚାୟକ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।