କଟକ: ବାଇକ୍ ଚୋରି କରିବା ପାଇଁ ଭିନ୍ନ ଭିନ୍ନ ପୋଷାକ ପିନ୍ଧି ଯାଉଥିଲା। ଚୋରି ସମୟରେ ଯେପରି ତାକୁ କେହି ସହଜରେ ଚିହ୍ନଟ କରିପାରିବେ ନାହିଁ, ସେଥିପାଇଁ ବାର ଅନୁସାରେ ନିଜ ପୋଷାକ ବଦଳାଉଥିଲା। ଏଭଳି ଢଙ୍ଗରେ କଟକ, ଭୁବନେଶ୍ୱର ସମେତ ଏକାଧିକ ଜିଲ୍ଲାରେ ବାଇକ୍ ଚୋରି କରୁଥିବା ଜଣେ ଅଭିଯୁକ୍ତକୁ ଧରିଛି କଟକ-ଭୁବନେଶ୍ୱର କମିସନରେଟ୍ ପୁଲିସ।
ଗିରଫ ଅଭିଯୁକ୍ତ ହେଉଛି ଯାଜପୁର ଜିଲ୍ଲାର ମାନସ ରଞ୍ଜନ ପାଲ୍। ତା’ ସହ ଚୋରା ବାଇକ୍ର ଅଂଶ କିଣୁଥିବା ଅଭିଯୋଗରେ କବାଡ଼ିଆ ପୀତାମ୍ବର ବେହେରାକୁ ମଧ୍ୟ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କଠାରୁ ୭ଟି ଚୋରା ବାଇକ୍ ଓ କିଛି ବାଇକ୍ର ଅଂଶ ଜବତ କରାଯାଇଛି।
ଭିଡ଼ ଅଞ୍ଚଳ ଥିଲା ଟାର୍ଗେଟ୍
ପୁଲିସର ସୂଚନା ଅନୁସାରେ, ମାନସ ଯାଜପୁରରୁ କଟକ ଆସି ବାଇକ୍ ଚୋରି କରୁଥିଲା। ତା’ର ଟାର୍ଗେଟ୍ରେ ରହୁଥିଲା ଭିଡ଼ ଅଞ୍ଚଳ। ବିଶେଷକରି କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ (ଏସ୍ସିବି) ଅଞ୍ଚଳରୁ ସେ ବାଇକ୍ ଚୋରି କରୁଥିବା ଜଣାପଡ଼ିଛି।
ବାଇକ୍ ଚୋରି ପାଇଁ ସେ ମାଷ୍ଟର କି’ ବ୍ୟବହାର କରୁଥିଲା। ଗାଡ଼ି ଚୋରି କରିବା ପରେ ଏହାର ନମ୍ବର ପ୍ଲେଟ୍ ବଦଳାଇ ନିଜ ନାମରେ ଥିବା ଅନ୍ୟ ଗାଡ଼ିର ନମ୍ବର ପ୍ଲେଟ୍ ଲଗାଉଥିଲା।
ବାର ଅନୁସାରେ ବଦଳାଉଥିଲା ପୋଷାକ
ମାନସର ଚୋରି କରିବାର ଶୈଳୀ ମଧ୍ୟ ପୁଲିସକୁ ଚକିତ କରିଛି। ବାଇକ୍ ଚୋରି କରିବାକୁ ଯିବା ସମୟରେ ସେ ବାର ଅନୁସାରେ ପୋଷାକ ବଦଳାଉଥିଲା। ଚୋରି ପରେ ବାଇକ୍ଗୁଡ଼ିକୁ କବାଡ଼ିଆ ପୀତାମ୍ବରଙ୍କୁ ପ୍ରାୟ ୬ରୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା।
ପୁଲିସ ତଦନ୍ତରୁ ମାନସର ନାମରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ଅପରାଧିକ ମାମଲା ଥିବା ଜଣାପଡ଼ିଛି। ପୀତାମ୍ବରଙ୍କ ନାମରେ ମଧ୍ୟ ଏକାଧିକ ମାମଲା ରହିଥିବା ପୁଲିସ କହିଛି।
CCTV ଫୁଟେଜ୍ରୁ ଧରାପଡ଼ିଲା
କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି ହେବା ପରେ ପୁଲିସ ସେହି ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଫୁଟେଜ୍ ଆଧାରରେ ମାନସକୁ ଚିହ୍ନଟ କରାଯାଇଥିଲା।
ପରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ମାନସ ଓ ପୀତାମ୍ବରଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୭ଟି ଚୋରା ବାଇକ୍ ସହ ବାଇକ୍ର ବିଭିନ୍ନ ଅଂଶ ଜବତ ହୋଇଛି। ଏହି ଚୋରି ନେଟୱାର୍କରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।




