ପୁନେ: ଗ୍ରାହକଙ୍କ ସୁବିଧା ପାଇଁ ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଅଭିନବ ୧୦ କେଜିଆ କମ୍ପୋଜିଟ୍‌ LPG ସିଲିଣ୍ଡର ‘ଏକ୍ସଟ୍ରାଲାଇଟ୍‌ ନାଓ’ ଉନ୍ମୋଚନ କରାଯାଇଛି। କମ୍ପାନିର ଅଧ୍ୟକ୍ଷ ଏ.କେ. ସାହାଣୀ ଏହି ନୂଆ ସିଲିଣ୍ଡରକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ (ମାର୍କେଟିଂ) ସୌମିତ୍ର ପି. ଶ୍ରୀବାସ୍ତବ ଉପସ୍ଥିତ ଥିଲେ।

ନୂଆ କମ୍ପୋଜିଟ୍‌ ସିଲିଣ୍ଡରଟି ହାଲୁକା ଓ ଧୁଳିମୁକ୍ତ ପ୍ରଯୁକ୍ତିରେ ନିର୍ମିତ ହୋଇଛି। ସିଲିଣ୍ଡରରେ କେତେ ପରିମାଣର ଗ୍ୟାସ୍‌ ବାକି ରହିଛି, ତାହା ଗ୍ରାହକମାନେ ସହଜରେ ଦେଖିପାରିବେ। ଏହା ଫଳରେ ଗ୍ୟାସ୍‌ ସରିବା ସମ୍ପର୍କରେ ଆଗୁଆ ସୂଚନା ମିଳିପାରିବ।

ବୁକିଂର ୪ ଘଣ୍ଟାରେ ଡେଲିଭରି

ଗ୍ରାହକଙ୍କୁ ଦ୍ରୁତ ସେବା ଯୋଗାଇବା ପାଇଁ ୧୦ କେଜିଆ LPG ସିଲିଣ୍ଡରର ୪ ଘଣ୍ଟିଆ ଡେଲିଭରି ସୁବିଧା ରହିବ। ଅର୍ଥାତ୍‌ ବୁକିଂ କରିବାର ୪ ଘଣ୍ଟା ମଧ୍ୟରେ ସିଲିଣ୍ଡର ଡେଲିଭରି କରାଯିବ।

ଏଥିସହ ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଏହାର ୫ କେଜିଆ LPG ସିଲିଣ୍ଡର ପାଇଁ ଏକ୍ସପ୍ରେସ୍‌ ଡେଲିଭରି ସେବା ମଧ୍ୟ ଆରମ୍ଭ କରାଯାଇଛି। ଏହି ସେବାରେ ମଧ୍ୟ ବୁକିଂର ୪ ଘଣ୍ଟା ମଧ୍ୟରେ ସିଲିଣ୍ଡର ଗ୍ରାହକଙ୍କ ନିକଟରେ ପହଞ୍ଚାଯିବ।

୪ ସହରରେ ଆରମ୍ଭ, ଅକ୍ଟୋବରରୁ ଦେଶବ୍ୟାପୀ

ବର୍ତ୍ତମାନ ଏହି ଏକ୍ସପ୍ରେସ୍‌ ଡେଲିଭରି ସେବା ପୁନେ, ଗୁରୁଗ୍ରାମ, ଇନ୍ଦୋର ଓ କୋଏମ୍ବାଟୁର୍‌ରେ ଉପଲବ୍ଧ ହୋଇଛି।

କମ୍ପାନିର ଯୋଜନା ଅନୁଯାୟୀ, ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶର ସମସ୍ତ ପ୍ରମୁଖ ସହରରେ ଏହି ସୁବିଧା ଉପଲବ୍ଧ କରାଯିବ।