ନୂଆଦିଲ୍ଲୀ: ନିଜକୁ ଜଣେ IAS ଅଧିକାରୀ ଭାବେ ପରିଚୟ ଦେବା ସହ ଜାତୀୟ ସୁରକ୍ଷା ଉପଦେଷ୍ଟା (NSA) ଅଜିତ ଡୋଭାଲଙ୍କ ଏଜେଣ୍ଟ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତିଙ୍କୁ ବିହାରର ଖଗରିଆ ଜିଲ୍ଲାରୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ମନୀଷ ଗୁପ୍ତା ବୋଲି ଜଣାପଡ଼ିଛି।

ଖଗରିଆ ଏସ୍‌ପି ଭାନୁ ପ୍ରତାପ ସିଂହଙ୍କ ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇବା ପରେ ଗୋଗ୍ରି ଥାନା ଅଧୀନ ଜମାଲପୁରସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରି ପୁଲିସ ମନୀଷଙ୍କୁ ଗିରଫ କରିଥିଲା।

ନକଲି ପରିଚୟପତ୍ର ଦେଖାଇଥିଲେ

ପୁଲିସ ଅନୁସାରେ, ମନୀଷ ନିଜକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଭାବେ ପରିଚୟ ଦେଉଥିଲେ। ପଚରାଉଚରା ବେଳେ ସେ ପୁଲିସକୁ ଏକ କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍‌ର କାର୍ଡ ଦେଖାଇଥିଲେ। ଏହାସହ ସେ ଅଜିତ ଡୋଭାଲଙ୍କ ଏଜେଣ୍ଟ ଭାବେ କାମ କରୁଥିବା ଦାବି କରିଥିଲେ।

ସେହିପରି ନିଜକୁ IAS ଅଧିକାରୀ ଦର୍ଶାଇ ଏକ ପରିଚୟପତ୍ର ମଧ୍ୟ ଦେଖାଇଥିଲେ। ତେବେ ପ୍ରାଥମିକ ତଦନ୍ତରେ ତାଙ୍କର ଏହି ସମସ୍ତ ଦାବି ମିଥ୍ୟା ବୋଲି ଜଣାପଡ଼ିଛି। ସେ ନା ଜଣେ IAS ଅଧିକାରୀ, ନା ଅଜିତ ଡୋଭାଲଙ୍କ ଏଜେଣ୍ଟ ବୋଲି ପୁଲିସ କହିଛି।

ଟେସ୍‌ଲା ସମେତ ଅନେକ ସାମଗ୍ରୀ ଜବତ

ଅଭିଯୁକ୍ତଙ୍କ ଘରେ ଚଢ଼ାଉ ବେଳେ ୩୧ ଲିଟରରୁ ଅଧିକ ବିଦେଶୀ ମଦ ଜବତ ହୋଇଛି। ଏହାସହ ‘Government of India’ (GOI) ବୋର୍ଡ ଲାଗିଥିବା ଏକ ଟେସ୍‌ଲା କାର୍‌ ଓ ଏକ ଟାଟା ସଫାରି ମଧ୍ୟ ପୁଲିସ ଜବତ କରିଛି।

ଏହା ବ୍ୟତୀତ ୫ଟି ଆଇଫୋନ୍‌, ୨୦ଟି କ୍ରେଡିଟ୍ କାର୍ଡ, ୮ଟି ଡେବିଟ୍ କାର୍ଡ, ୪ଟି ଚେକ୍‌ବୁକ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ଜବତ ଟେସ୍‌ଲା କାର୍‌ରେ ଫୁଲ୍‌ ସେଲ୍ଫ-ଡ୍ରାଇଭିଂ (FSD) ଫିଚର୍‌ ଥିବା ପୁଲିସ କହିଛି। ଅଭିଯୁକ୍ତ ଜାଲିଆତି ଓ ଅନ୍ୟ ବେଆଇନ ଉପାୟରେ ଏହି ସମ୍ପତ୍ତି ହାସଲ କରିଥିବା ପୁଲିସ ସନ୍ଦେହ କରୁଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।