ରାଉରକେଲା: କିଛି ଦିନର ବ୍ୟବଧାନ ପରେ ସୋମବାର ରାଉରକେଲାରେ ପୁଣି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିବା ସହ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଛି। ପ୍ରମୁଖ ରାସ୍ତା, ରିଂ ରୋଡ୍‌ ଓ ବିଭିନ୍ନ ବସ୍ତି ଅଞ୍ଚଳରେ ଆଣ୍ଠୁଏ ପାଣି ଜମି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ବର୍ଷା ପାଣି ଇନ୍ଦିରାନଗର ଓ ମଛଲି ମାର୍କେଟ୍‌ ଅଞ୍ଚଳର ୫୦ରୁ ଅଧିକ ଘରେ ପଶିଯାଇଛି। ଫଳରେ ଲୋକଙ୍କ ଘରର ଆସବାବପତ୍ର ଓ ଖାଦ୍ୟଶସ୍ୟ ନଷ୍ଟ ହୋଇଥିବା ବେଳେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତଳିଆ ଅଞ୍ଚଳରେ ରହୁଥିବା ଅନେକ ପରିବାର ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଜଳବନ୍ଦିରେ ୫୦ରୁ ଅଧିକ ଘର

ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଏବଂ ଅପରାହ୍ଣ ପ୍ରାୟ ୪ଟାରୁ ପୁଣି ବର୍ଷା ଲାଗି ରହିଥିଲା। ଏଥିଯୋଗୁଁ ଇନ୍ଦିରାନଗର ଓ ମଛଲି ମାର୍କେଟ୍‌ ଅଞ୍ଚଳର ୫୦ରୁ ଅଧିକ ଘର ଜଳବନ୍ଦି ହୋଇପଡ଼ିଛି। ଗତବର୍ଷ ମଧ୍ୟ ଏହି ଅଞ୍ଚଳବାସୀ ସମାନ ସମସ୍ୟା ଭୋଗିଥିଲେ।

ସହରର ଅନ୍ୟାନ୍ୟ ବସ୍ତି ଓ ତଳିଆ ଅଞ୍ଚଳରେ ମଧ୍ୟ ବର୍ଷା ପାଣି ଜମି ରହିବାରୁ ଲୋକେ ନାନା ସମସ୍ୟାରେ ପଡ଼ିଛନ୍ତି।

ରେଳ ଷ୍ଟେସନ ପାର୍କିଂରେ ୩ରୁ ୪ ଫୁଟ ପାଣି

ପ୍ରବଳ ବର୍ଷା ଯୋଗୁଁ ରାଉରକେଲା ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶପଥ ନିକଟ ପାର୍କିଂ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇପଡ଼ିଥିଲା। ସେଠାରେ ପ୍ରାୟ ୩ରୁ ୪ ଫୁଟ ପାଣି ଜମିବାରୁ ପାଖାପାଖି ୩୦ଟି ଯାନବାହନ ପାଣିରେ ବୁଡ଼ି ରହିଥିଲା।

ଅଞ୍ଚଳର ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାରୁ ବର୍ଷାଜଳ ଠିକ୍‌ ଭାବେ ନିଷ୍କାସିତ ହୋଇନପାରି ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ସେହିପରି ସହରର ବିଭିନ୍ନ ରାସ୍ତା ପାଣିରେ ବୁଡ଼ି ପୋଖରୀର ଭ୍ରମ ସୃଷ୍ଟି କରିଥିଲା। ଅନେକ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ବର୍ଷା ପାଣି ପଶିବାରୁ କ୍ଷୟକ୍ଷତି ହୋଇଛି।

ଅନେକ ପ୍ରମୁଖ ରାସ୍ତାରେ ପାଣି

ଗୁରୁଦ୍ୱାରା ରୋଡ୍‌, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ, ରିଂ ରୋଡ୍‌ର ଟ୍ରାଫିକ୍‌ ଗେଟ୍‌, ଆର୍‌ଏସ୍‌ପି ପ୍ରଶାସନିକ ଭବନ ସମ୍ମୁଖ, ସାରନା ଛକ ଓ ଏୟାରଷ୍ଟ୍ରିପ୍‌ ରୋଡ୍‌ରେ ପାଣି ଜମି ରହିଥିଲା। ଫଳରେ ଏହି ସବୁ ରାସ୍ତାରେ ଯାତାୟାତ ବହୁମାତ୍ରାରେ ପ୍ରଭାବିତ ହୋଇଥିଲା।

ବର୍ଷା ପରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଓ ରାଉରକେଲା ମହାନଗର ନିଗମର ଅଧିକାରୀମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।