ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ଶିବା ଛକ ନିକଟରେ ସୋମବାର ରାତିରେ ଏକ ବଡ଼ଧରଣର ଲୁଟ୍ ଘଟଣା ଘଟିଛି। ଫାଙ୍କା ଗୁଳି ଚଳାଇ ଜଣେ ଜୁଏଲରୀ ଦୋକାନ ମାଲିକଙ୍କଠାରୁ ପ୍ରାୟ ୪ କେଜି ରୁପା ଓ ଅନ୍ୟ ଅଳଙ୍କାର ଥିବା ବ୍ୟାଗ୍ ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଲୁଟ୍ ହୋଇଥିବା ରୁପା ଓ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସବୁଦିନ ଭଳି ସୋମବାର ରାତି ପ୍ରାୟ ୧୦ଟାରେ ମା’ ମଙ୍ଗଳା ଜୁଏଲରୀର ମାଲିକ ବିଜୟ ସାହୁ ଓ ତାଙ୍କ ପତ୍ନୀ ଦୋକାନ ବନ୍ଦ କରିଥିଲେ। ପରେ ରୁପା ଓ ନଗଦ ଟଙ୍କା ନେଇ ସେମାନେ ବନ୍ଧଢିହସ୍ଥିତ ନିଜ ଘରକୁ ଫେରୁଥିଲେ।
ମୋଟରସାଇକଲ୍ରେ ପିଛା କରିଥିଲେ ଦୁର୍ବୃତ୍ତ
ଇନ୍ଦାରାଇ ନିକଟରେ ମୋଟରସାଇକଲ୍ରେ ଆସିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ପିଛା କରି ଅଟକାଇଥିଲେ। ପରେ ଭୟ ସୃଷ୍ଟି କରିବା ପାଇଁ ଫାଙ୍କା ଗୁଳି ଚଳାଇ ସେମାନଙ୍କଠାରୁ ସୁନା ଓ ରୁପା ଅଳଙ୍କାର ଥିବା ବ୍ୟାଗ୍ ଛଡ଼ାଇ ନେଇଥିଲେ।
ବ୍ୟାଗ୍ରେ ପ୍ରାୟ ୪ କେଜି ରୁପା ସହ ଅନ୍ୟ ଅଳଙ୍କାର ଥିବା ଜଣାପଡ଼ିଛି। ଲୁଟ୍ ପରେ ଦୁର୍ବୃତ୍ତମାନେ ମୋଟରସାଇକଲ୍ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଘଟଣାସ୍ଥଳରୁ ଗୁଳି ଜବତ
ଖବର ପାଇ ସଦର ଥାନା ପୁଲିସ ଓ ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ଏକ ଗୁଳି ଜବତ କରାଯାଇଛି।
ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସହ ଲୁଟ୍ ହୋଇଥିବା ଅଳଙ୍କାର ଉଦ୍ଧାର ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।




