ପୁରୀ: ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ପୀଠ ଶ୍ରୀଗୁଣ୍ଡିଚା ମନ୍ଦିରରେ ଏବେ ଏକ ନୂଆ ଅଧ୍ୟାୟ ଯୋଡ଼ା ହେବାକୁ ଯାଉଛି। ମହାପ୍ରଭୁଙ୍କ ଜନ୍ମବେଦି ଭାବେ ପରିଚିତ ଏହି ମନ୍ଦିରର କାନ୍ଥ ଏଣିକି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଗୌରବମୟ କାହାଣୀ କହିବ। ପାରମ୍ପରିକ ଶୈଳୀରେ କାନ୍ଥରେ ଅଙ୍କିତ ହେବାକୁ ଥିବା ବିଭିନ୍ନ ଚିତ୍ର ମାଧ୍ୟମରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା, ରାସ ମଣ୍ଡପର କାହାଣୀ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ତପସ୍ୟା ଏବଂ ରାଣୀ ଗୁଣ୍ଡିଚାଙ୍କ ମାତୃସ୍ନେହର ଅଜଣା ତଥ୍ୟ ଭକ୍ତମାନେ ଜାଣିବାକୁ ପାଇବେ।
‘ଜୀବନ୍ତ ସଂଗ୍ରହାଳୟ’ ହେବ ଶ୍ରୀଗୁଣ୍ଡିଚା ମନ୍ଦିର
ଏହି ନବୀକରଣ କାର୍ଯ୍ୟ କେବଳ ଚିତ୍ର ମଧ୍ୟରେ ସୀମିତ ନାହିଁ, ବରଂ ମନ୍ଦିର ପରିସରକୁ ଏକ ‘ଜୀବନ୍ତ ସଂଗ୍ରହାଳୟ’ ଭାବେ ଗଢ଼ିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଆଗାମୀ ଦିନରେ ଅତ୍ୟାଧୁନିକ ଲାଇଟ୍ ଏବଂ ସାଉଣ୍ଡ ସିଷ୍ଟମ୍ ମାଧ୍ୟମରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦିବ୍ୟ ଲୀଳା ଶୁଣିବାର ସୁଯୋଗ ପାଇବେ। ମନ୍ଦିରର ବାହ୍ୟ ପାର୍ଶ୍ୱରୁ ଆରମ୍ଭ କରି ଭିତର ପାର୍ଶ୍ୱ, ଗର୍ଭଗୃହ ଏବଂ ଜଗମୋହନ ପର୍ଯ୍ୟନ୍ତ ବ୍ୟାପକ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଜାରି ରହିଛି। ମନ୍ଦିର ପ୍ରବେଶ ପାଇଁ ୧୦ ଟଙ୍କାର ଟିକେଟ୍ ଧାର୍ଯ୍ୟ କରାଯାଇଥିଲେ ହେଁ, ଏହି ଅଳ୍ପ ମୂଲ୍ୟରେ ଭକ୍ତମାନେ ମହାପ୍ରଭୁଙ୍କ ସଂସ୍କୃତିର ଏକ ବଡ଼ ଅନୁଭୂତି ପାଇପାରିବେ।
ମନ୍ଦିରରେ ତାଲା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ଅନ୍ୟପଟେ, ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଚାଲିଥିବା ଦର୍ଶାଇ ମନ୍ଦିର ଗେଟ୍ରେ ତାଲା ପଡ଼ିଥିବାରୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରଥଯାତ୍ରା ସରିବା ପରେ ମନ୍ଦିର ଖୋଲାଯିବ ବୋଲି ପ୍ରଶାସନ ପୂର୍ବରୁ ଘୋଷଣା କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶତାଧିକ ଭକ୍ତ ମନ୍ଦିର ସମ୍ମୁଖରୁ ପ୍ରତିଦିନ ନିରାଶ ହୋଇ ଫେରୁଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ମନ୍ଦିରକୁ ସାଧାରଣ ଦର୍ଶନ ପାଇଁ ଖୋଲାଯିବ। କିନ୍ତୁ ଏହି କାମ କେବେ ସରିବ, ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ। ଯଥାଶୀଘ୍ର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଶେଷ କରି ଜନ୍ମବେଦିକୁ ଭକ୍ତଙ୍କ ପାଇଁ ଉନ୍ମୁକ୍ତ କରିବାକୁ ଦାବି ଜୋର ଧରିଛି, ନଚେତ୍ ଆଗାମୀ ଦିନରେ ଏହା ଏକ ବଡ଼ ଆନ୍ଦୋଳନର ରୂପ ନେଇପାରେ ବୋଲି ସେବାୟତ ଓ ଭକ୍ତମାନେ ଚେତାବନୀ ଦେଇଛନ୍ତି।




