ବାଲେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ସମୁଦ୍ରରୁ ମିଳିଛି ବମ୍ପର ଇଲିଶି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦିଘା ମୁହାଣରେ ଲାଗିଛି ଇଲିଶି ଭର୍ତ୍ତି ଟ୍ରଲର। ପ୍ରଚୁର ପରିମାଣରେ ଇଲିଶି ମାଛ ଧରାପଡ଼ିଥିବାରୁ ମତ୍ସ୍ୟଜୀବୀଙ୍କଠାରୁ ଆରମ୍ଭ କରି ଟ୍ରଲର ମାଲିକ, ବ୍ୟବସାୟୀ ଏବଂ ଆମିଷପ୍ରିୟ ଖାଉଟିଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି।
୩୦ ଟନ୍ରୁ ଅଧିକ ଇଲିଶି ଆମଦାନୀ
ସୂଚନା ଅନୁଯାୟୀ, ଦିଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ ଗୋଟିଏ ଦିନରେ ୩୦ ଟନ୍ରୁ ଅଧିକ ଇଲିଶି ମାଛ ଆସି ପହଞ୍ଚିଛି। ଗୋଟିଏ ପରେ ଗୋଟିଏ ଟ୍ରଲର କୂଳରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଅବତରଣ କେନ୍ଦ୍ର ଇଲିଶିରେ ଭରି ଯାଇଥିଲା। ବହୁ ପରିମାଣର ମାଛ ଆସିବା ଯୋଗୁଁ ନିଲାମ କେନ୍ଦ୍ରଗୁଡ଼ିକରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ବଜାରରେ ଇଲିଶିର ଦର ମାଛର ଆକାର ଓ ଓଜନ ଅନୁସାରେ ଭିନ୍ନ ରହିଛି। ପ୍ରତି କିଲୋଗ୍ରାମ୍ ଇଲିଶି ପାଇଁ ୬୦୦ ଟଙ୍କାରୁ ଆରମ୍ଭ କରି ୧୩୦୦ ଟଙ୍କା ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି। ବିଶେଷକରି ବଡ଼ ଆକାରର ଇଲିଶି ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅଧିକ ଚାହିଦା ରହିଛି। ଦିଘାରେ ଇଲିଶିର ଏହି ବମ୍ପର ଆମଦାନୀ ପରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ପ୍ରମୁଖ ମାଛ ବଜାରକୁ ଯୋଗାଣ ଆରମ୍ଭ ହୋଇଯାଇଛି।
ଅନୁକୂଳ ପାଗ ଓ ନଦୀ ମୁହାଣର ଭୂମିକା
ହଠାତ୍ ଏତେ ପରିମାଣର ଇଲିଶି ଜାଲରେ ପଡ଼ିବା ପଛରେ ସାମ୍ପ୍ରତିକ ପାଗର ବଡ଼ ଭୂମିକା ରହିଛି ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଝିପିଝିପି ବର୍ଷା, ପବନ ଓ ଅନୁକୂଳ ପାଗ ଯୋଗୁଁ ଗଭୀର ସମୁଦ୍ରରେ ଥିବା ଇଲିଶି ମାଛମାନେ କୂଳ ଆଡ଼କୁ ମୁହାଁଇଥାନ୍ତି।
ବିଶେଷକରି ନଦୀ ମୁହାଣରେ ମିଠା ପାଣି ଓ ସମୁଦ୍ରର ଲୁଣିଆ ପାଣିର ମିଶ୍ରଣ ହେଉଥିବା ଅଞ୍ଚଳ ଇଲିଶି ପାଇଁ ବେଶ୍ ଅନୁକୂଳ। ପ୍ରଜନନ ସମୟରେ ଇଲିଶି ଏହି ମୁହାଣ ଅଞ୍ଚଳକୁ ଆସୁଥିବାରୁ ଏହି ସମୟରେ ବହୁ ପରିମାଣରେ ମାଛ ଧରାପଡ଼ିଥାନ୍ତି।
ଦୀର୍ଘ ଦିନ ପରେ ଏପରି ବମ୍ପର ମାଛ ଧରାପଡ଼ିଥିବାରୁ ଚଳିତ ମାଛଧରା ଋତୁରେ ଭଲ ଲାଭ ମିଳିବ ବୋଲି ଟ୍ରଲର ମାଲିକମାନେ ଆଶା ରଖିଛନ୍ତି। ଆଗାମୀ ଦିନରେ ଯୋଗାଣ ଆହୁରି ବଢ଼ିଲେ ବଜାରରେ ଇଲିଶିର ଦର କିଛିଟା କମିପାରେ ବୋଲି ଆଶା କରାଯାଉଛି।




