ୱାଶିଂଟନ୍: ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ, ତାଙ୍କ ସମ୍ପର୍କୀୟ ପୁତୁରା ସାଗର ଆଦାନୀ ଏବଂ ଆଦାନୀ ଗ୍ରୀନ୍ ଏନର୍ଜିର ପୂର୍ବତନ ସିଇଓ ଭିନୀତ ଜୈନଙ୍କ ବିରୋଧରେ ଚାଲିଥିବା ଫୌଜଦାରୀ ମାମଲାକୁ ଆମେରିକାର ଏକ ଆଦାଲତ ସ୍ଥାୟୀ ଭାବେ ଖାରଜ କରିଦେଇଛନ୍ତି। ନ୍ୟୁୟୋର୍କର ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ କୋର୍ଟ ଆମେରିକା ନ୍ୟାୟ ବିଭାଗର ‘ରୁଲ୍ ୪୮(ଏ)’ (Rule 48(a)) ଆବେଦନକୁ ସ୍ୱୀକୃତି ଦେଇ ଏହି ମାମଲାକୁ ବାତିଲ କରିଛନ୍ତି। ଏହା ସହିତ ଗତ ଦୁଇ ବର୍ଷ ଧରି ଚାଲିଥିବା ଚର୍ଚ୍ଚିତ ଠକେଇ ଓ ଲାଞ୍ଚ କାରବାର ଅଭିଯୋଗ ମାମଲାର ଅନ୍ତ ଘଟିଛି।
ମାମଲାର ଶୁଣାଣି କରି ବିଚାରପତି ନିକୋଲାସ୍ ଗାରୌଫିସ୍, ପ୍ରସିକ୍ୟୁଟରଙ୍କ ସ୍ପଷ୍ଟୀକରଣ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହି ମାମଲାକୁ ‘ୱିଥ୍ ପ୍ରେଜୁଡିସ୍’ ଶ୍ରେଣୀରେ ସ୍ଥାୟୀ ଭାବେ ଖାରଜ କରିଛନ୍ତି, ଯାହାର ଅର୍ଥ ହେଉଛି ଆମେରିକା ପ୍ରସିକ୍ୟୁସନ୍ ଆଗାମୀ ଦିନରେ ଏହି ସମାନ ଅଭିଯୋଗରେ ଆଉ ନୂଆ କରି କୌଣସି ମାମଲା ରୁଜୁ କରିପାରିବେ ନାହିଁ।
ସୂଚନାଯୋଗ୍ୟ, ୨୦୨୪ ନଭେମ୍ବର ମାସରେ ପ୍ରସିକ୍ୟୁଟରମାନେ ଗୌତମ ଆଦାନୀ ଓ ଅନ୍ୟ ନେତୃବୃନ୍ଦଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଭାରତରେ ପ୍ରାୟ ୨ ବିଲିୟନ୍ ଡଲାର ମୂଲ୍ୟର ସୌର ଶକ୍ତି କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଭାରତୀୟ ଅଧିକାରୀଙ୍କୁ ୨୫୦ ନିୟୁତ ଡଲାର (ପ୍ରାୟ ୨୫ କୋଟି ଡଲାର) ଲାଞ୍ଚ ଦେବାକୁ ଷଡ଼ଯନ୍ତ୍ର କରାଯାଇଥିବା ଦାବି କରାଯାଇଥିଲା। ଏହାସହ ଆମେରିକା ବଜାରରୁ ୩ ବିଲିୟନ୍ ଡଲାର ପୁଞ୍ଜି ସଂଗ୍ରହ ବେଳେ ନିବେଶକଙ୍କୁ ଭ୍ରମିତ କରାଯାଇଥିବା ଅଭିଯୋଗ ହୋଇଥିଲା।
ଆଦାନୀ ଗ୍ରୁପ୍ ଆରମ୍ଭରୁ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହିବା ସହ ସମ୍ପୂର୍ଣ୍ଣ ଅସ୍ୱୀକାର କରିଆସୁଥିଲା। ଏବେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିଚାର ପ୍ରକ୍ରିୟା ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ମାମଲା ଶେଷ ହୋଇଛି। କୋର୍ଟରେ କୌଣସି ସାକ୍ଷୀଙ୍କ ବକ୍ତବ୍ୟ ରେକର୍ଡ କିମ୍ବା ପ୍ରମାଣର ଆଇନଗତ ପରୀକ୍ଷା ହେବା ପୂର୍ବରୁ ସରକାରୀ ଓକିଲମାନେ ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି।
ଏହି ସ୍ଥାୟୀ ଖାରଜ ନିର୍ଦ୍ଦେଶ ପରେ ଆଦାନୀ ଗ୍ରୁପ୍, ଆମେରିକା ବଜାର ଏବଂ ବିଶ୍ୱ ନିବେଶକଙ୍କ ମଧ୍ୟରେ ଏକ ସ୍ପଷ୍ଟ ଓ ସକାରାତ୍ମକ ସନ୍ଦେଶ ପହଞ୍ଚିଛି। ଗୌତମ ଆଦାନୀ ଓ ତାଙ୍କ କମ୍ପାନୀ ପାଇଁ ଏହାକୁ ଏକ ବଡ଼ ସାପେକ୍ଷିକ ଓ ଆଇନଗତ ବିଜୟ ଭାବେ ଦେଖାଯାଉଛି।




