ନୂଆଦିଲ୍ଲୀ: ଭାରତରେ ସଡ଼କ ଦୁର୍ଘଟଣାର ଭୟାବହ ସ୍ଥିତି ନେଇ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ଦେଶରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ପ୍ରାୟ ୧.୮ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଅର୍ଥାତ୍‌ ପ୍ରତି ଘଣ୍ଟାରେ ପ୍ରାୟ ୨୦ ଜଣଙ୍କ ଜୀବନ ଯାଉଛି ବୋଲି ସେ କହିଛନ୍ତି।

ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ଗଡକରୀ କହିଛନ୍ତି ଯେ, ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୬୬ ପ୍ରତିଶତ ଯୁବକ। ଗତବର୍ଷ କେବଳ ହେଲମେଟ୍‌ ନ ପିନ୍ଧିବା କାରଣରୁ ୫୪,୧୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି। ମୋଟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ପ୍ରାୟ ୪୫ ପ୍ରତିଶତ ଦୁଇଚକିଆ ଯାନ ଚାଳକ ଓ ଆରୋହୀଙ୍କର ବୋଲି ସେ କହିଛନ୍ତି।

ବ୍ଲାକ୍‌ ସ୍ପଟ୍‌ ସୁଧାର ପାଇଁ ୪୦ ହଜାର କୋଟି

ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ‘ବ୍ଲାକ୍‌ ସ୍ପଟ୍‌’କୁ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ ଭାବେ ଚିହ୍ନଟ କରିଛନ୍ତି ଗଡକରୀ। ଏହି ଅଞ୍ଚଳଗୁଡ଼ିକର ଭିତ୍ତିଭୂମି ସୁଧାର ପାଇଁ ସରକାର ପ୍ରାୟ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଦେଶର ୧୦୦ଟି ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲାକୁ ଚିହ୍ନଟ କରାଯାଇ ସେଠାରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ନିଆଯାଉଛି।

ଲୋକଙ୍କ ଆଚରଣରେ ପରିବର୍ତ୍ତନ ଜରୁରୀ

ସଡ଼କ ଦୁର୍ଘଟଣା କମାଇବା ପାଇଁ କେବଳ ରାସ୍ତା ଓ ଯାନବାହନର ସୁରକ୍ଷା ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଗାଡ଼ି ଚାଳନା ସମୟରେ ଲୋକଙ୍କ ଆଚରଣରେ ପରିବର୍ତ୍ତନ ଆଣିବା ମଧ୍ୟ ଆବଶ୍ୟକ ବୋଲି ଗଡକରୀ କହିଛନ୍ତି।

ସଡ଼କ ସୁରକ୍ଷା ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସେ କହିଛନ୍ତି। ସଡ଼କ ଦୁର୍ଘଟଣା ଯୋଗୁଁ ଦେଶର ଜିଡିପିର ପ୍ରାୟ ୩ ପ୍ରତିଶତ କ୍ଷତି ହେଉଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଗଡକରୀ କହିଛନ୍ତି ଯେ, ସଡ଼କ ସୁରକ୍ଷା ଏକ ସାମୂହିକ ଜାତୀୟ ଦାୟିତ୍ୱ। ସରକାର, ବିଭିନ୍ନ ସଂସ୍ଥା, ଶିଳ୍ପ ଏବଂ ପ୍ରତ୍ୟେକ ରାସ୍ତା ବ୍ୟବହାରକାରୀଙ୍କ ମିଳିତ ପ୍ରୟାସରେ ହିଁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାରକୁ ହ୍ରାସ କରାଯାଇପାରିବ।