“କୈକେୟୀଙ୍କ ଚରିତ୍ର ଓ ରଣବୀରଙ୍କ ଷ୍ଟାର୍ ଇମେଜ୍‌କୁ ନେଇ ଉଠିଲା ପ୍ରଶ୍ନ”

ମୁମ୍ବାଇ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ବୋଲିଉଡ୍ ଫିଲ୍ମ ‘ରାମାୟଣ’ କୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ଫିଲ୍ମର ଟ୍ରେଲର ରିଲିଜ୍ ପରେ ଦର୍ଶକ ଓ ସିନେ ସମୀକ୍ଷକଙ୍କ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି କ୍ରମରେ ବି.ଆର୍. ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ମହାଭାରତ’ରେ ଯୁଧିଷ୍ଠିର ଭୂମିକାରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଗଜେନ୍ଦ୍ର ଚୌହାନ ଫିଲ୍ମର ଟ୍ରେଲର ଓ ଚରିତ୍ରଗୁଡ଼ିକର ଲୁକ୍‌କୁ ନେଇ ନିଜର ଆପତ୍ତି ପ୍ରକାଶ କରିଛନ୍ତି।

ଟ୍ରେଲର ଦେଖି ନିରାଶ ହେଲେ ଗଜେନ୍ଦ୍ର

ଏକ ସାକ୍ଷାତକାରରେ ଗଜେନ୍ଦ୍ର ଚୌହାନ କହିଛନ୍ତି ଯେ ‘ରାମାୟଣ’ର ଟ୍ରେଲର ତାଙ୍କୁ ବିଶେଷ ପ୍ରଭାବିତ କରିପାରିନାହିଁ। ବିଶେଷ କରି ମାତା କୈକେୟୀଙ୍କ ଚରିତ୍ରକୁ ଯେଉଁଭଳି ଭାବେ ଉପସ୍ଥାପନ କରାଯାଇଛି, ତାହା ତାଙ୍କୁ ଆଦୌ ପସନ୍ଦ ଆସିନାହିଁ। ତାଙ୍କ ମତରେ, ରାମଙ୍କ ବନବାସ ଦାବି କରୁଥିବା ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟରେ ଆବଶ୍ୟକ ଭାବନାତ୍ମକ ପ୍ରଭାବ ନଥିଲା। ଏହା ସହିତ କୈକେୟୀଙ୍କ ପୋଷାକ ଅତ୍ୟଧିକ ଆଧୁନିକ ଲାଗୁଥିବା ସେ କହିଛନ୍ତି।

ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ବୋଲିଉଡ୍ ଷ୍ଟାର୍ ରଣବୀର କପୁର ଅଭିନୟ କରୁଛନ୍ତି। ଏହି କାଷ୍ଟିଂ ଉପରେ ପ୍ରତିକ୍ରିୟା ଦେଇ ଗଜେନ୍ଦ୍ର କହିଛନ୍ତି ଯେ, ଜଣେ ସ୍ଥାପିତ ଏବଂ ଲୋକପ୍ରିୟ ଷ୍ଟାରଙ୍କୁ ପୌରାଣିକ ଚରିତ୍ରରେ ଗ୍ରହଣ କରିବା ଦର୍ଶକଙ୍କ ପାଇଁ ସହଜ ନୁହେଁ, କାରଣ ଷ୍ଟାରଙ୍କର ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଇମେଜ୍ ଥାଏ।

ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ରଣବୀର କପୁର ଗେଟ୍‌ଅପ୍‌ରେ ବେଶ୍ ଭଲ ଦେଖାଯାଉଛନ୍ତି, ମାତ୍ର ଭଗବାନ ରାମଙ୍କୁ ନେଇ ଦର୍ଶକଙ୍କ ମନରେ ଥିବା କାଳ୍ପନିକ ଓ ପବିତ୍ର ଛବି ସହ ସେ କେତେ ଖାପଖୁଆଉଛନ୍ତି, ତାହା ଦେଖିବାକୁ ପଡ଼ିବ।

ନିଜ ‘ମହାଭାରତ’ ଅନୁଭୂତିର ଉଦାହରଣ ଦେଇ ସେ କହିଛନ୍ତି ଯେ, ଯୁଧିଷ୍ଠିର ଭୂମିକା କରିବା ପୂର୍ବରୁ ସେ ଅନେକ ସିରିଏଲ୍‌ରେ କାମ କରିଥିଲେ ମଧ୍ୟ ତାଙ୍କର କୌଣସି ବଡ଼ ଷ୍ଟାର୍ ଇମେଜ୍ ନଥିଲା, ଯାହା ତାଙ୍କୁ ସଫଳତା ଦେଇଥିଲା।

ଅପରପକ୍ଷରେ, ପୁରୁଣା ‘ରାମାୟଣ’ର ଅରୁଣ ଗୋଭିଲଙ୍କୁ ଏହି ଫିଲ୍ମରେ ରାଜା ଦଶରଥ ଭୂମିକାରେ କାଷ୍ଟ କରାଯିବା ନିଷ୍ପତ୍ତିକୁ ଗଜେନ୍ଦ୍ର ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଶେଷରେ କହିଛନ୍ତି ଯେ, କେବଳ ଟ୍ରେଲର ଦେଖି ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବନାହିଁ, ସମ୍ପୂର୍ଣ୍ଣ ଫିଲ୍ମ ରିଲିଜ୍ ହେବା ପରେ ହିଁ ସଠିକ୍ ମୂଲ୍ୟାୟନ କରିହେବ। ନିତେଶ ତିୱାରୀଙ୍କ ‘ରାମାୟଣ’ର ପ୍ରଥମ ଭାଗ ଚଳିତ ବର୍ଷ ଦୀପାବଳି (ନଭେମ୍ବର) ଅବସରରେ ପ୍ରେକ୍ଷାଳୟକୁ ଆସିବ।