ନୂଆଦିଲ୍ଲୀ: ନିଜ ଦେଶ ଭିତରେ ବୃଦ୍ଧି ପାଉଥିବା ତୀବ୍ର ଆଭ୍ୟନ୍ତରୀଣ ଅଶାନ୍ତି ଓ ବିଦ୍ରୋହରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ସୀମାନ୍ତରେ କୌଣସି ବଡ଼ ଧରଣର ଚାଲ୍ କରିପାରେ ବୋଲି ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଚେତାବନୀ ଦେଇଛନ୍ତି। ପାକ ଅଧିକୃତ କାଶ୍ମୀର ଏବଂ ବାଲୁଚିସ୍ତାନରେ ସରକାରବିରୋଧୀ ଆନ୍ଦୋଳନ ତୀବ୍ର ହେଉଥିବାରୁ ଇସଲାମାବାଦ ନିଜର ବିଫଳତା ଲୁଚାଇବାକୁ ଭାରତ ବିରୋଧରେ କୌଣସି ଦୁଃସାହସିକ ପଦକ୍ଷେପ ନେବାକୁ ଯୋଜନା କରୁଥିବା ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି।
ଇଣ୍ଟେଲିଜେନ୍ସ ବ୍ୟୁରୋ ର ଜଣେ ବରିଷ୍ଠ ଅଫିସରଙ୍କ ଅନୁଯାୟୀ, “ପାକିସ୍ତାନ ସେନା ଓ ଶାସକ ଗୋଷ୍ଠୀ ଏବେ ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିଛନ୍ତି। ନିୟନ୍ତ୍ରଣ ରେଖା ରେ ସେମାନେ କୌଣସି ବଡ଼ ଧରଣର ଦୁଃସାହସ କରିପାରନ୍ତି। ତେଣୁ ଭାରତୀୟ ସୁରକ୍ଷା ବାହିନୀକୁ ପୂର୍ଣ୍ଣ ଆଲର୍ଟରେ ରଖାଯାଇଛି।”
ଗୋଟିଏ ପଟେ LoCରେ ଉତ୍ତେଜନା ସୃଷ୍ଟି କରିବା ସହ ଅନ୍ୟପଟେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଯୋଜନା କରୁଛି। ସମ୍ପ୍ରତି କାଶ୍ମୀରରେ ଘଟିଥିବା କିଛି ଆତଙ୍କବାଦୀ ଆକ୍ରମଣ ଏହି ଷଡ଼ଯନ୍ତ୍ରର ଅଂଶ ବୋଲି କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଭାରତ ସୀମା ନିକଟସ୍ଥ ଶିଆଲକୋଟ, ଗୁଜରାନୱାଲା ଏବଂ ଜଲାଲପୁର ଜାତନ ଅଞ୍ଚଳରେ ଚୀନ୍ ନିର୍ମିତ SH-15 (155mm) ର ପ୍ରାୟ ୨୫୦ଟି ଟ୍ରକ୍-ମାଉଣ୍ଟେଡ୍ ସେଲ୍ଫ-ପ୍ରୋପେଲଡ୍ ହୋୱିଟଜର ତୋପ ମୁତୟନ କରିଛି। ଏହି ଗତିଶୀଳ ତୋପଗୁଡ଼ିକ ୩୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ‘ଶୁଟ୍-ଏଣ୍ଡ-ସ୍କୁଟ୍’ (ଗୁଳିଚାଳନା କରି ତୁରନ୍ତ ସ୍ଥାନ ବଦଳାଇବା) କ୍ଷମତା ରଖିଥାଏ।
ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭାରତ ସୀମାରେ ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିଛି ଏବଂ ଜାତୀୟ ସୁରକ୍ଷା ପ୍ରତି ଆସୁଥିବା ଯେକୌଣସି ବିପଦର କଡ଼ା ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ସେନାଧ୍ୟକ୍ଷ ଆସିମ୍ ମୁନିରଙ୍କ ଉପରେ ବଢ଼ୁଛି ଚାପ
PoK ଏବଂ ବାଲୁଚିସ୍ତାନରେ ସେନାର ଅତ୍ୟାଚାରକୁ ନେଇ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ବୃଦ୍ଧି ପାଉଛି। ପାକିସ୍ତାନ ସେନାଧ୍ୟକ୍ଷ ଫିଲ୍ଡ ମାର୍ଶାଲ ଆସିମ୍ ମୁନିର ଙ୍କ ରଣନୀତି ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହା ବ୍ୟତୀତ ଇମ୍ରାନ ଖାନ ପ୍ରସଙ୍ଗ ଏବଂ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନୀ ସ୍ଥାପନା ଓ ଆତଙ୍କବାଦୀ ଭିତ୍ତିଭୂମିର ମୁଖା ଖୋଲିଯିବା ପରେ ମୁନିର ନିଜ ଦେଶରେ ନିନ୍ଦିତ ହେଉଛନ୍ତି। ଏହିସବୁ ସମସ୍ୟାରୁ ନିଜର ମୁହଁ ବଞ୍ଚାଇବା ପାଇଁ ସେନାଧ୍ୟକ୍ଷ ଏବେ ଭାରତ ସହ ଉତ୍ତେଜନା ସୃଷ୍ଟି କରିବାକୁ ଶ୍ରେୟସ୍କର ମଣୁଛନ୍ତି।
ଅନ୍ୟପକ୍ଷରେ ISI ଭାରତରେ ସ୍ଲିପର ସେଲ୍ଗୁଡ଼ିକୁ ସକ୍ରିୟ କରିବା ସହ ଜୈଶ-ଏ-ମହମ୍ମଦ ଆଦି ସଂଗଠନ ମାଧ୍ୟମରେ ଆକ୍ରମଣ ପାଇଁ ଉଦ୍ୟମ କରୁଛି। ତଥାପି ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହିସବୁ ମଡ୍ୟୁଲଗୁଡ଼ିକୁ ପଦାଘାତ କରି ସଜାଗ ରହିଛନ୍ତି।




