ମାଲକାନଗିରି: ଓଡ଼ିଶାର ମାଲକାନଗିରି ଜିଲ୍ଲା MV-104 ଗାଁର ଏକ ପୋଖରୀରେ ଦେଖାଦେଇଥିବା କୁମ୍ଭୀରକୁ ବୁଧବାର ବନ ବିଭାଗ ସଫଳତାର ସହ କାବୁ କରିଛି। ଦୀର୍ଘ ୩ ଦିନ ଧରି ଚାଲିଥିବା ଏହି ଉଦ୍ଧାର ଅପରେସନ୍ ପରେ ସ୍ଥାନୀୟ ଗ୍ରାମବାସୀ ଆଶ୍ୱସ୍ତି ଲାଭ କରିଛନ୍ତି।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ତିନି ଦିନ ତଳେ ଗାଁ ପୋଖରୀରେ ପ୍ରଥମେ ଏକ ବଡ଼ କୁମ୍ଭୀର ଚରାବୁଲା କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ବନ ବିଭାଗ ଖବର ପାଇବା ପରେ ତୁରନ୍ତ ଟିମ୍ ପଠାଇ କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା।

ଅନେକ ଚେଷ୍ଟା ପରେ ବୁଧବାର ସକାଳେ ଜାଲ ସାହାଯ୍ୟରେ ବନ ବିଭାଗ କର୍ମଚାରୀମାନେ ଅନୁମାନିକ ୫ ଫୁଟ ଲମ୍ବର ଏହି ବୟସ୍କ କୁମ୍ଭୀରକୁ କାବୁ କରିବାରେ ସଫଳ ହୋଇଥିଲେ। ବନ ପ୍ରାଧିକାରୀଙ୍କ ସୂଚନା ଅନୁଯାୟୀ, କୁମ୍ଭୀରଟିର ମେଡିକାଲ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାକୁ ଜନବସତିଠାରୁ ଦୂରରେ ଥିବା ଏକ ନିରାପଦ ପ୍ରାକୃତିକ ଜଳାଶୟରେ ଛଡ଼ାଯିବ।

ଅପରପକ୍ଷରେ, ଗତ ଜୁଲାଇ ୧୫ ତାରିଖରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ରେଞ୍ଜର କୁସୁମୀ ଗାଁରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ମାରିଦେଇଥିବା ଏକ ଆତଙ୍କୀ ଭାଲୁକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ (ଟ୍ରାଙ୍କୁଲାଇଜର ଦ୍ୱାରା ଅଚେତ) କରି କାବୁ କରିବାର କିଛି ସମୟ ମଧ୍ୟରେ ତାର ମୃତ୍ୟୁ ଘଟିଥିଲା। ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଚେତ ହେବା ପରେ ଭାଲୁଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଭାଲୁର ହୃତପିଣ୍ଡ, ରକ୍ତ ଓ ପାକସ୍ଥଳୀର ନମୁନା ଭୁବନେଶ୍ୱରସ୍ଥିତ କଲେଜ୍ ଅଫ୍ ଭେଟେରିନାରୀ ସାଇନ୍ସକୁ ଫୋରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଛି।