ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ପାକିସ୍ତାନ ତେହେରିକ୍-ଏ-ଇନସାଫ୍’ (PTI) ର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ (Imran Khan) ନେଇ ଏବେ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ୱାଜାହତ ସଇଦ ଖାନ ଦାବି କରିଛନ୍ତି ଯେ, ଜେଲ୍ରେ ଥିବା ଇମ୍ରାନ ଖାନଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଦାବିକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ୱାଧୀନ ସରକାରୀ ନିଶ୍ଚିତତା କିମ୍ବା ସ୍ପଷ୍ଟୀକରଣ ମିଳିପାରି ନାହିଁ।
ସାମ୍ବାଦିକଙ୍କ ଏହି ଦାବି ପରେ ଇମ୍ରାନଙ୍କ ଦଳ ‘ପାକିସ୍ତାନ ତେହେରିକ୍-ଏ-ଇନସାଫ୍’ ପକ୍ଷରୁ ଗଭୀର ଚିନ୍ତା ପ୍ରକାଶ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟକୁ ନେଇ ଆସୁଥିବା ଚିନ୍ତାଜନକ ଖବର ସାରା ଦେଶରେ ଗୁଜବ ଓ ଆତଙ୍କ ସୃଷ୍ଟି କରୁଛି।
ପିଟିଆଇ ଦାବି କରିଛି ଯେ, ଶାସକ ସରକାର ତୁରନ୍ତ ଇମ୍ରାନଙ୍କ ପରିବାର, ବ୍ୟକ୍ତିଗତ ଡାକ୍ତର, ଆଇନଜୀବୀ ଏବଂ ଦଳୀୟ ନେତାଙ୍କୁ ଜେଲ୍ରେ ତାଙ୍କ ସହ ଭେଟିବାର ସୁଯୋଗ ଦେବା ଉଚିତ।
ଦଳ ପକ୍ଷରୁ ଆହୁରି କୁହାଯାଇଛି ଯେ, ଇମ୍ରାନ ଖାନଙ୍କ ସମ୍ପୂର୍ଣ୍ଣ ଡାକ୍ତରୀ ମାଇନା ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏବଂ ବ୍ୟକ୍ତିଗତ ଡାକ୍ତରଙ୍କ ସାକ୍ଷାତ ଓ ତତ୍ତ୍ୱାବଧାନରେ କରାଯିବା ଆବଶ୍ୟକ। ତାଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପାକିସ୍ତାନ ସରକାର ସାର୍ବଜନୀନ ଭାବେ ସ୍ପଷ୍ଟ ଓ ପ୍ରାମାଣିକ ସୂଚନା ପ୍ରଦାନ କରନ୍ତୁ ବୋଲି ପିଟିଆଇ ପକ୍ଷରୁ ଦାବି ହୋଇଛି।
ଆଡିଆଲା ଜେଲ୍ରେ ବନ୍ଦୀ ଅଛନ୍ତି ଇମ୍ରାନ
୭୧ ବର୍ଷୀୟ ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲ୍ରେ ବନ୍ଦୀ ଅଛନ୍ତି। ୧୯୦ ମିଲିୟନ ପାଉଣ୍ଡ ଦୁର୍ନୀତି ମାମଲାରେ ସେ ଦଣ୍ଡ ଭୋଗୁଥିବା ବେଳେ ୨୦୨୩ ମସିହା ମେ’ ୯ ହିଂସା ଘଟଣା ସହ ଜଡ଼ିତ ଏକାଧିକ ମାମଲାରେ ମଧ୍ୟ ବିଚାରର ସମ୍ମୁଖୀନ ହେଉଛନ୍ତି। ତେବେ ଇମ୍ରାନ ଖାନଙ୍କ ମୃତ୍ୟୁକୁ ନେଇ ସାଂବାଦିକଙ୍କ ଦ୍ୱାରା ହୋଇଥିବା ଦାବିର ସତ୍ୟତା ସରକାରୀ ଭାବେ ସ୍ପଷ୍ଟ ହେବା ପରେ ହିଁ ପ୍ରକୃତ ଚିତ୍ର ସାମ୍ନାକୁ ଆସିବ।




