ନୂଆଦିଲ୍ଲୀ: ଅନଧିକୃତ ନିର୍ମାଣ ଏବଂ ଆବାସିକ ଅଞ୍ଚଳରେ ନିୟମ ଉଲ୍ଲଂଘନ କରି ବାଣିଜ୍ୟିକ କାର୍ଯ୍ୟକଳାପ ଚଳାଇବା ମାମଲାରେ ସୁପ୍ରିମ୍କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦିଲ୍ଲୀ, ପାଟନା ଓ ଲକ୍ଷ୍ନୌ ସମେତ ବିଭିନ୍ନ ସହରରେ ନିୟମ ଉଲ୍ଲଂଘନ କରୁଥିବା କୋଠା ଓ ସଂରଚନା ବିରୋଧରେ ତୁରନ୍ତ ଓ ପ୍ରଭାବୀ ପଦକ୍ଷେପ ନେବାକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ ଏଭଳି ନିର୍ମାଣକୁ ସିଲ୍ କିମ୍ବା ଭାଙ୍ଗିବା ଭଳି ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।
ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଆର୍. ମହାଦେବନଙ୍କ ଖଣ୍ଡପୀଠ ଅଗଷ୍ଟ ୧୨ରେ ଏହି ମାମଲାର ଶୁଣାଣି କରିଥିଲେ।
ଦିଲ୍ଲୀରେ ସର୍ବେକ୍ଷଣ ନେଇ ଅସନ୍ତୋଷ
ଦିଲ୍ଲୀର ଲଜପତନଗର ଓ ସରୋଜିନୀନଗର ବଜାରରେ ନିୟମ ଉଲ୍ଲଂଘନ ଏବଂ ଅସୁରକ୍ଷିତ ନିର୍ମାଣ ଚିହ୍ନଟ ପାଇଁ ସର୍ବେକ୍ଷଣ ଆରମ୍ଭ ହୋଇନଥିବାରୁ ଦିଲ୍ଲୀ ନଗର ନିଗମ (ଏମ୍ସିଡି) ଓ ନୂଆଦିଲ୍ଲୀ ନଗର ପରିଷଦ (ଏନ୍ଡିଏମ୍ସି) ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜୁଲାଇ ୯ର ନିର୍ଦ୍ଦେଶ ଅନୁସାରେ ଆଇଆଇଟି ଦିଲ୍ଲୀର ଦୁଇଜଣ ପ୍ରଫେସରଙ୍କ ସମେତ ଅନ୍ୟ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରି ସର୍ବେକ୍ଷଣ କରିବାକୁ କୁହାଯାଇଥିଲା। ତେବେ ଏପର୍ଯ୍ୟନ୍ତ ସର୍ବେକ୍ଷଣ ଆରମ୍ଭ ହୋଇନଥିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପାଟନାରେ ୨୬,୭୪୬ ମାମଲା
ପାଟନାରେ ସ୍ଥିତି ଆହୁରି ଗମ୍ଭୀର ଥିବା କୋର୍ଟଙ୍କ ଶୁଣାଣିରୁ ଜଣାପଡ଼ିଛି। ପାଟନା ନଗର ନିଗମର ନୂଆ ସତ୍ୟପାଠ ଅନୁସାରେ, ସର୍ବେକ୍ଷଣ ପରେ ୨୬,୭୪୬ଟି ମାମଲା ଚିହ୍ନଟ ହୋଇଛି, ଯେଉଁଠାରେ ଆବାସିକ ସମ୍ପତ୍ତିକୁ ବାଣିଜ୍ୟିକ କାମରେ ବ୍ୟବହାର କରାଯାଉଛି।
ପୂର୍ବତନ ନଗର ଆୟୁକ୍ତ ପରାଶରଙ୍କ ସତ୍ୟପାଠ ଅନୁସାରେ, ତାଙ୍କ କାର୍ଯ୍ୟକାଳରେ ନିୟମ ଉଲ୍ଲଂଘନ ସମ୍ପର୍କିତ ପ୍ରାୟ ୫୦୦ଟି ମାମଲା ସାମ୍ନାକୁ ଆସିଥିଲା। ଏଥିରୁ ୮୧ଟି ମାମଲାରେ ସ୍ୱତଃସଂଜ୍ଞାନ ନିଆଯାଇଥିବା ବେଳେ ୧୨୯ଟିରେ ଆଦେଶ ଜାରି ହୋଇଥିଲା। ସମସ୍ତ ମାମଲାରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ, ସେନେଇ ପରାଶରଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ଲକ୍ଷ୍ନୌରେ ୫୧ ସମ୍ପତ୍ତି ଚିହ୍ନଟ
ଲକ୍ଷ୍ନୌରେ ମଧ୍ୟ ଦିଲ୍ଲୀ ଢାଞ୍ଚାରେ ବ୍ୟାପକ ସର୍ବେକ୍ଷଣ କରିବାକୁ ଲକ୍ଷ୍ନୌ ବିକାଶ ପ୍ରାଧିକରଣ (ଏଲ୍ଡିଏ)କୁ କୁହାଯାଇଛି। ଏଲ୍ଡିଏ ଉପାଧ୍ୟକ୍ଷ ପ୍ରଥମେଶ କୁମାର କୋର୍ଟଙ୍କୁ କହିଛନ୍ତି ଯେ ୫୧ଟି ସମ୍ପତ୍ତି ଚିହ୍ନଟ ହୋଇଛି ଏବଂ ସେଗୁଡ଼ିକ ବିରୋଧରେ ପଦକ୍ଷେପ ଆରମ୍ଭ ହୋଇଛି।
ସମଗ୍ର ଅଧିକାରକ୍ଷେତ୍ରରେ ଯାଞ୍ଚ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ତିନି ସପ୍ତାହ ମଧ୍ୟରେ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀର ହୋଟେଲ ଏବଂ ଲକ୍ଷ୍ନୌର କୋଚିଂ ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡରେ ବହୁ ଲୋକଙ୍କ ମୃତ୍ୟୁ ଘଟଣାକୁ ମଧ୍ୟ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି। ଅନଧିକୃତ ନିର୍ମାଣ ଓ ଆବାସିକ ଅଞ୍ଚଳରେ ନିୟମବିରୋଧୀ ବାଣିଜ୍ୟିକ ବ୍ୟବହାର ପ୍ରତି ଅଧିକାରୀଙ୍କ ଅବହେଳା ଆଉ ବରଦାସ୍ତ କରାଯିବ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି।




